କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିକାଶର ବାଟ ଓଗାଳିଛି ଇଣ୍ଟରନେଟ୍ ସେବା । ଅଞ୍ଚଳରେ ବହୁ ଟାୱାର ପ୍ରତିଷ୍ଠା କରାଯାଇଛି । ହେଲେ ଅଧିକାଂଶ ଟାୱାର କାମ କରୁନି । ଯାହାକୁ ନେଇ ଲୋକ ଅନେକ ସମସ୍ୟା ଭୋଗୁଛନ୍ତି । କିଏ ରାସ୍ତା ଉପରେ ଛିଡ଼ା ହୋଇ ନେଟୱର୍କ ସର୍ଚ୍ଚ କରୁଛନ୍ତି ତ ଆଉ କିଏ ଜଙ୍ଗଲ ଦେଇ ପାହାଡ଼ ଉପରକୁ ଯାଇ ନେଟୱର୍କ ଖୋଜୁଛନ୍ତି । ଏ ହେଉଛି ଇଣ୍ଟରନେଟ୍ ନେଟୱର୍କ ସେବାର ବିକଳ ଚିତ୍ର । ଇଣ୍ଟରନେଟରେ କାମ କରିବାକୁ ହେଲେ ଯିବାକୁ ପଡୁଛି ଚିତ୍ରକୋଣ୍ଡା ନହେଲେ ଜିଲ୍ଲା ମୁଖ୍ୟାଳୟ ମାଲକାନଗିରି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବହୁ ଟାୱାର ଅଛି । ହେଲେ ନେଟୱର୍କ ପାଉନି । ସ୍ବାଭିମାନ ଅଞ୍ଚଳର ଲୋକ ସମସ୍ୟା ଭୋଗୁଛନ୍ତି ।
ମାଓ ଦମନ ପାଇଁ ଅଞ୍ଚଳରେ ବିଏସଏଫ୍ କ୍ୟାମ୍ପ୍ ପ୍ରତିଷ୍ଠା ସହ ନେଟୱର୍କ ସେବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏଥିପାଇଁ ବଡ଼ପଦର, ରାଲେଗଡ଼ା, ଧୂଳିପୁଟ, ବଡ଼ପୋଡ଼ା, ପାପର ମେଟଲା, ଯୋଡ଼ାଆମ୍ବ, ପଣସପୁଟ, ଅଣ୍ଡରାପାଲି, ଯନ୍ତ୍ରୀ ଭଳି ୯ ଟି ପଞ୍ଚାୟତରେ ଟାୱାର ପ୍ରତିଷ୍ଠା ପାଇଁ ବହୁ କମ୍ପାନି ସରକାରଙ୍କ ସହ ଚୁକ୍ତି କରି କାମ କରିଥିଲେ । ହେଲେ କେଉଁଠି ଟାୱାର ଛିଡ଼ା ହୋଇଛି ତ ଆଉ କେଉଁଠି ମେସିନ ଲାଗିନାହିଁ । କେଉଁଠି ସବୁ ସରଞ୍ଜାମ ଥାଇ ମଧ୍ୟ ସେବା ଆରମ୍ଭ ହୋଇନାହିଁ । ଶୀଘ୍ର ନେଟୱର୍କ ସମସ୍ୟାର ସମାଧାନ ନହେଲେ ମାଓ ଦମନ ଅଭିଯାନ ବିଫଳ ହେବାର ଆଶଙ୍କା ରହିଛି । ଲୋକ ବି ବିଭିନ୍ନ ସରକାରୀ ସେବାରୁ ବଞ୍ଚିତ ହେବେ ।