କନକବ୍ୟୁରୋ : ଚିଟ୍ଫଣ୍ଡ ତଦନ୍ତ ପ୍ରକ୍ରିୟାକୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଛି । ହେଲେ ଏବେ ବି ଚିହ୍ନଟ ହୋଇ ପାରିନାହାନ୍ତି ଲକ୍ଷଲକ୍ଷ ଜମାକାରୀ । ତତ୍କାଳୀନ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିସନ ଗଠନ କରିଥିଲେ ।
୨୦୨୦ ଫେବ୍ରୁଆରି ୪ରେ ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ପରେ ଏହାକୁ ଆଉ ବୃଦ୍ଧି କରାଯାଇନଥିଲା । ତଦନ୍ତ ଅଧାରେ ଅଟକି ଥିବାବେଳେ କମିସନ କିନ୍ତୁ ୭ଟି ଅନ୍ତରୀଣ ରିପୋର୍ଟ ଦାଖଲ କରି ସାରିଥିଲେ । ହେଲେ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି, ତାହା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ ।
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟାରେ ଦାଖଲ ହୋଇଥିବା ରିପୋର୍ଟ ସଂକ୍ରାନ୍ତରେ ସରକାର ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ କରି ନାହାନ୍ତି । ତଦନ୍ତ ବନ୍ଦ ହେବା ପୂର୍ବରୁ କମିସନ୍ ୪ ଲକ୍ଷ ୯୭ ହଜାରରୁ ଅଧିକ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଦାଖଲ କରିଥିଲେ । ଏହି ସତ୍ୟପାଠଗୁଡ଼ିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡ଼ିରହିଛି ।
ତଦନ୍ତ ଅଧାରୁ ବନ୍ଦ ହୋଇଥିଲେ ବି ଏଥିପାଇଁ ୬.୧୯ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା । ତେବେ ନୂଆ ସରକାର ଚାହିଁଲେ ଜମାକାରୀ ଚିହ୍ନଟ ହୋଇପାରିବେ । ସତ୍ୟପାଠରୁ କୌଣସି ତଥ୍ୟ ନମିଳିଲେ, ତହସିଲ ସ୍ତରରୁ ସରକାର ଚିହ୍ନଟ ପ୍ରକ୍ରିୟା କରିବା ଦରକାର ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡ କ୍ଷତିଗ୍ରସ୍ତ ୫ଲକ୍ଷ ଜମାକାରୀଙ୍କୁ ୩ରୁ ୪ ମାସ ଭିତରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଜମାକାରୀଙ୍କ ପାଇଁ ଆଶା ସଞ୍ଚାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/13/chitfund-2025-07-13-19-34-53.jpg)