କନକ ବ୍ୟୁରୋ : ରାଜ୍ୟର ଲକ୍ଷାଧିକ ଜମାକାରୀଙ୍କ ଭିତରେ ବିଜୟ କୁମାର ପାଢ଼ୀ ବି ଜଣେ ଜମାକାରୀ । ପୁଲିସରେ ଚାକିରି କରୁଥିଲେ ବିଜୟ ଆଉ ଅବସର ପରେ ନିଜ ସଞ୍ଚିତ ଧନକୁ ଚିଟଫଣ୍ଡ ସଂସ୍ଥାରେ ଜମା କଲେ । ପରିବାରର ଅନ୍ୟ ସଦସ୍ୟ ବି ପାଖାପାଖି ୧୫ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲେ । କିନ୍ତୁ ଧୀରେ ଧୀରେ ପରିସ୍ଥିତି ବଦଳିଗଲା । ଟଙ୍କା ନେଇ ଛୁ ମାରିଲା ସଂସ୍ଥା । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ବିଜୟ କୁମାର ପାଢୀ । 
  
ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା ବିଜେପି । ରାଜ୍ୟ ବିଜେପି ଜାରି କରିଥିଲା ସଂକଳ୍ପ ପତ୍ର । ସରକାର ଗଢ଼ିଲେ ଛୋଟ ନିବେଶକଙ୍କୁ ନ୍ୟାୟ ପ୍ରଦାନ ସହ ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲା ବିଜେପି । ଏହାରି ଭିତରେ ଏକ ବର୍ଷ ବିତିଗଲାଣି କିନ୍ତୁ ଜମାକାରୀଙ୍କ ଖାତାକୁ ଆସିପାରିନାହିଁ ଟଙ୍କା । ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରୟାସ ଜାରି ରହିଛି । ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତର ଜମାକାରୀ ରାଜଧାନୀରେ ଏକାଠି ହୋଇ ଆନ୍ଦୋଳନ ପାଇଁ ସଜବାଜ ହେଲେଣି । ରାଜ୍ୟ ସରକାର ୬୦ ଲକ୍ଷ ଜମାକାରୀଙ୍କର ଦୁଃଖ ନଶୁଣିଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି କହିଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ ।