କନକ ବ୍ୟୁରୋ : ଖୁବଶୀଘ୍ର ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ତା ପୂର୍ବରୁ ବିହାର ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି । ଉଭୟ ଏନଡିଏ ଓ ମହାମେଣ୍ଟ ଭିତରେ ଫାଟ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଆସନ ବୁଝାମଣାକୁ ନେଇ ମହାମେଣ୍ଟରେ କଂଗ୍ରେସ କେଁ କାଢୁଥିବା ବେଳେ ଏନଡିଏର ସହଯୋଗୀ ଥିବା ଚିରାଗ ପାସୱାନଙ୍କ ଏଲଜେପି ଏବେ ବିହାର ବିଧାନସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି । ଏନେଇ ଏଲଜେପିର ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ କେନ୍ଦ୍ରମନ୍ତ୍ରୀ ଥିବା ଦଳର ମୁଖ୍ୟ ଚିରାଗ ପାସୱାନ ମଧ୍ୟ ବିଧାନସଭା ନିର୍ବାଚନ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ କିଛିିଦିନ ତଳେ ଚିରାଗ ଦେଇଥିବା ଏକ ବୟାନ ମୁତାବକ ସେ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ଓ ଦଳର କର୍ମକର୍ତ୍ତା ସମାନ କଥା ଚାହୁଥିବା କଥା ସେ କହିଥିଲେ । ବିହାର ଫାଷ୍ଟ ବିହାରୀ ଫାଷ୍ଟ ନାରା ଦେଉଥିବା ଏଲଜେପିର ରାଜନୀତି ବିହାର କେନ୍ଦ୍ରିତ ବୋଲି ସଂସଦୀୟ ଦଳ ବୈଠକ ପରେ ସ୍ପଷ୍ଟ ହୋଇଛି । ହେଲେ ଏକଥା ସ୍ପଷ୍ଟ ହୋଇନାହିଁ ଦଳ ଏନଡିଏ ମେଣ୍ଟରେ ନିର୍ବାଚନ ଲଢିବ ନା ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇବ ।
ଚିରାଗ ପାସୱାନ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଥିଲେ କି ମୋଦୀ ସରକାରଙ୍କ ସମୟରେ ତାଙ୍କୁ କାମ କରିବାର ସ୍ୱତନ୍ତ୍ରତା ମିଳିଛି । ହେଲେ ଗତ କିଛି ସମୟ ହେବ ଏନଡିଏର କିଛି ପ୍ରସଙ୍ଗକୁ ଚିରାଗ ଖୋଲାଖୋଲି ବିରୋଧ କରୁଛନ୍ତି । ଯେମିତି କି, ହିନ୍ଦୁ-ମୁସଲମାନ ପ୍ରସଙ୍ଗ, ଜାତିଗତ ଜନଗଣନା ପ୍ରସଙ୍ଗ, ଲାଟେରାଲ ଏଣ୍ଟ୍ରି ପ୍ରସଙ୍ଗକୁ ଚିରାଗ ସିଧାସଳଖ ବିରୋଧ କରୁଛନ୍ତି । ଚିରାଗ କହିଥିଲେ କି ଏଲଜେପି ଏନଡିଏ ମେଣ୍ଟରେ ରହିଛି ସତ ହେଲେ ବିଜେପିର ପ୍ରକ୍ସି ପାର୍ଟି ଭାବେ କାମ କରିପାରିବ ନାହିଁ । ଚିରାଗଙ୍କ ଏଭଳି ବୟାନ ଓ ବିହାର ବିଧାନସଭା ନିର୍ବାଚନରେ ଦଳ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ଭଳି ଘଟଣା ଦେଖିଲେ ଲାଗୁଛି କି, ବିହାରରେ ଏନଡିଏ ମେଣ୍ଟରେ ମଧ୍ୟ ସବୁକିଛି ଠିକ୍ ନାହିଁ ।