କନକ ବ୍ୟୁରୋ: ବିହାରରେ ତୁଟିଲା କି ଏନଡିଏର ସିଟ୍ ସେୟାରିଂ କଳି ? ମାନିଗଲେ କି ଚିରାଗ ପାସଓ୍ୱାନ୍? ଏହି ଚର୍ଚ୍ଚା ଏବେ ଏଥିପାଇଁ ଆରମ୍ଭ ହୋଇଛି, କାହିଁକି ନା ନିତ୍ୟାନନ୍ଦ ରାୟଙ୍କ ସହ କଥାବାର୍ତ୍ତା ପରେ ଚିରାଗ ପାସଓ୍ୱାନ୍ ଏମିତି କିଛି କଥା କହିଛନ୍ତି, ଯାହା ବିହାର ରାଜନୀତିକୁ ସରଗରମ କରିଛି । ଚିରାଗ କହିଛନ୍ତି, ମୋ ପ୍ରଧାନମନ୍ତ୍ରୀ ଯେଉଁଠି ଅଛନ୍ତି, ସେଠି ମୋ ସମ୍ମାନର ଚିନ୍ତା ନାହିଁ । ଏହାସହ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଆପଣ ଯେଉଁ କଥାକୁ ଅପେକ୍ଷା କରିଛନ୍ତି, ସେହି ଘୋଷଣା ଜଲଦି ହେବ ।

Advertisment

ଅସଲ କଥା ହେଉଛି ବିହାରରେ ବିଧାନସଭା ତାରିଖ ଘୋଷଣାକୁ ଏହା ଭିତରେ ୫ ଦିନରୁ ଅଧିକ ସମୟ ବିତିଲାଣି । ହେଲେ ଏବେ ବି ଏନଡିଏରେ ସିଟ୍ ସେୟାରିଂକୁ ନେଇ ମୂଲଚାଲ ଜାରି ରହିଛି । ଗୋଟିଏ ପଟେ ଚିରାଗ ପାସଓ୍ୱାନ୍ ଅଧିକ ସିଟରେ ନିର୍ବାଚନ ଲଢ଼ିବା ନେଇ ଦାବି କରୁଥିବାବେଳେ, ତାଙ୍କୁ ମନାଇବାକୁ ଲାଗିଛି ଭାରତୀୟ ଜନତା ପାର୍ଟି । ଆଉ ନିତ୍ୟାନନ୍ଦ ରାୟଙ୍କ ସହ ମିଟିଂ ପରେ ସେ ସିଟ୍ ସେୟାରିଂ ଫର୍ମୁଲାକୁ ନେଇ ଏବେ କଥା ମାନିନେଇଥିବା ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ଗୁରୁବାର ମଧ୍ୟ ନିତ୍ୟାନନ୍ଦ ରାୟ ଚିରାଗ ପାସଓ୍ୱାନଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ହେଲେ ସେତେବେଳେ କିନ୍ତୁ ସେ ଘରେ ନଥିଲେ । ଏହାପରେ ନିତ୍ୟାନନ୍ଦ ରାୟ ତାଙ୍କ ମାଙ୍କୁ ଭେଟି ଚାଲିଯାଇଥିଲେ । ଏହାପରେ ସନ୍ଧ୍ୟାରେ ଯାଇ ଦୁଇ ନେତାଙ୍କ ଭିତରେ ଭେଟଘାଟ ହେବା ସହିତ ଆଲୋଚନା ହୋଇଥିଲା । ଆଉ ଏହାପରେ ଏବେ ପୁଣିଥରେ ଦୁଇ ନେତାଙ୍କ ଭିତରେ ମିଟିଂ ହେବା ସହିତ ସିଟ୍ ବୁଝାମଣା ହୋଇଥିବା କୁହାଯାଉଛି ।

ବର୍ତ୍ତମାନ ଏନଡିଏରେ ସିଟ୍ ବଣ୍ଟାକୁଟା କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ୪୦ରୁ ୫୦ ସିଟରେ ନିର୍ବାଚନ ଲଢ଼ିବା ନେଇ ଦାବି କରୁଥିବାବେଳେ, ଏହାକୁ ନେଇ ହିଁ ଅସଲ ବିବାଦ ମୁଣ୍ଡ ଟେକିଛି । ବିଜେପି ଚିରାଗ ପାସଓ୍ୱାନଙ୍କୁ ଏତେ ସଂଖ୍ୟକ ସିଟ୍ ଦେବାକୁ ରାଜିନଥିବା ବେଳେ, ଚିରାଗ ମଧ୍ୟ ବୁଝିବାକୁ ନାରାଜ । ଏପରି ସ୍ଥିତିରେ ଚିରାଗ ଅଲଗା ହୋଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ କୁହାଯାଉଛି ।

ସେପଟେ ଏନଡିଏର ଆଉ ଏକ ସହଯୋଗୀ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାକୁ ନେଇ ମଧ୍ୟ ମେଣ୍ଟରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଜୀତନ ରାମ ମାଞ୍ଝୀ ୧୫ ସିଟରେ ନିର୍ବାଚନ ଲଢ଼ିବାକୁ ଦାବି କରୁଥିବାବେଳେ, ଏତେ ସଂଖ୍ୟକ ସିଟ୍ ହାମକୁ ନେଇ ଦେବାକୁ ବିଜେପି ରାଜି ହେଉନି । ଯାହାକୁ ନେଇ ଏହି ପୂରା ବିବାଦ ଆରମ୍ଭ ହୋଇଛି । ତେଣୁ ଦେଖିବାକୁ ବାକି ରହିଲା, କେବେ ଏନଡିଏର ଦଳମାନଙ୍କ ଭିତରେ ସିଟ୍ ବୁଝାମଣା ହେଉଛି ଆଉ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହେଉଛି ।