କନକ ବ୍ୟୁରୋ : ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ର ଅଧ୍ୟକ୍ଷ ଚିରାଗ ପାସୱାନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିହାର ନିର୍ବାଚନ, ଏନଡିଏ ମେଣ୍ଟର ଆସନ ବୁଝାମଣା ଓ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି । ସେ ସ୍ପଷ୍ଟ କହିଛନ୍ତି କି, ଏନଡିଏରେ ଆସନ ବୁଝାମଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ । ହେଲେ ତାଙ୍କ ପାର୍ଟିକୁ ସମ୍ମାନଜନକ ଆସନ ସଂଖ୍ୟା ଓ ଉଚିତ୍ ଆସନରେ ଲଢିବାର ସୁଯୋଗ ଦିଆଯିବା ଆବଶ୍ୟକ ।
କେତେ ସିଟରେ ଲଢ଼ିବାକୁ ଚାହୁଛନ୍ତି ବୋଲି ପ୍ରଶ୍ନକୁ ଏଡ଼ାଇ ଯାଇ ଚିରାଗ କହିଛନ୍ତି କି, କେତେ ଆସନରେ ଲଢ଼ିବୁ, କେଉଁ କେଉଁ ଆସନରେ ଲଢ଼ିବୁ ତାହା ଆମେ ମନରେ ଭାବି ସାରିଛୁ । ଏହାସହ ଜାତୀୟ ପ୍ରସଙ୍ଗରୁ ଆଗକୁ ବଢ଼ି ଆମ ଦଳ ବିହାରରେ ପ୍ରଭାବଶାଳୀ ଅଛି । ଆମ ଦଳ କୌଣସି ବିଧାନସଭା ଆସନରେ ବି ପ୍ରଭାବ ପକାଇପାରିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ ଭଲ ରହିଛି ଓ ଏହା ସବୁଠାରୁ ବଡ଼କଥା ବୋଲି ସେ କହିଛନ୍ତି । ଲୋକସଭା ନିର୍ବାଚନରେ ସମସ୍ତ ସହଯୋଗୀ ଦଳମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ନିଜକୁ ତରକାରୀର ଲୁଣ ବୋଲି କହି, ବିହାରର ସମସ୍ତ ବିଧାନସଭା ଆସନରେ ପ୍ରଭାବ ପକାଇ ପାରିବେ ବୋଲି ସେ କହିଛନ୍ତି ।
ସେପଟେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀଙ୍କ ବାବଦରେ ଚିରାଗ କହିଛନ୍ତି ସେ ଜଣେ ସମ୍ମାନଜନକ ନେତା, ହେଲେ ତାଙ୍କର ମୋ ସହ କାହିଁକି ଶତ୍ରୁତା ସେ ବାବଦରେ ମୁଁ ସ୍ପଷ୍ଟ କହିପାରିବି ନାହିଁ ।
ଏଥର ସେ ନୀତିଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟରେ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିରାଗ କହିଛନ୍ତି,ଏହା ମୋ ଷ୍ଟାଇଲ, ନିଜ ସରକାରଙ୍କୁ ଫିଡ଼ ବ୍ୟାକ୍ ଦେଇପାରୁଛି । ମୁଁ ବିହାର ସରକାରରେ ସହଭାଗିତା ନୁହେଁ, ମୁଁ କେବଳ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ।