କନକ ବ୍ୟୁରୋ: ବିହାରରେ ଏବେ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି । ଆଉ ଏହା ପୂର୍ବରୁ ବିହାରରେ ଏବେ ଇଲେକ୍ସନ୍ ହାଓ୍ୱା ବହିବାରେ ଲାଗିଛି । ଖାସ୍ କରି ଗୋଟିଏ ପଟେ ବିହାରରେ ବିଜେପି ସତ୍ତାକୁ ନିଜ ପାଖରେ ରଖିବାକୁ ରଣନୀତି କଷୁଥିବାବେଳେ, ଅନ୍ୟପଟେ ନୀତୀଶ ପୁଣିଥରେ କିଙ୍ଗ୍ ମେକର ସାଜି ସରକାରରେ ମୁଖିଆ ହେବାକୁ ଅଙ୍କ କଷୁଛନ୍ତି । ଆଉ ତାହାରି ଭିତରେ ବିହାରରେ ନିଜର ସ୍ଥିତି ମଜଭୁତ କରିବାକୁ ସବୁଠୁ ବଡ଼ ଗେମ୍ ଖେଳୁଛନ୍ତି ଚିରାଗ ପାସଓ୍ୱାନ ।

Advertisment

ବିହାରରେ ଏଥର ଅଧିକରୁ ଅଧିକ ସିଟରେ ନିର୍ବାଚନ ଲଢ଼ିବାକୁ ମନ ବଳାଇ ସାରିଛନ୍ତି ଚିରାଗ ପାସଓ୍ୱାନ୍ । ଖାସ୍ କରି ୩୩ଟି ସିଟ୍ ଉପରେ ତାଙ୍କର ଆଖି ରହିଛି । ଗତଥର ନିର୍ବାଚନ ସମୟରେ ଯେଉଁ ଯେଉଁ ସିଟରେ ଏଲଜେପି ନେତା ଆଗରେ ରହିଥିଲେ, ଏଥର ସେହି ସେହି ସିଟକୁ ଟାର୍ଗେଟ୍ କରିଛନ୍ତି ଚିରାଗ । ଆଉ ଏହି ସିଟ୍ ନିଜ ପାଖରେ ରହିବାକୁ ଏବେଠୁ ଆରମ୍ଭ କରିଦେଇଛନ୍ତି ଗେମ୍ ପ୍ଲାନ୍ । 

ଗତଥର ୨୦୨୦ ବିଧାନସଭା ନିର୍ବାଚନ ବେଳେ ଚିରାଗ ଏକଲା ଚଲୋ ନୀତି ଧରି ଏକାକୀ ନିର୍ବାଚନ ଲଢ଼ିଥିଲେ । ଏମିତି କି ଜେଡିୟୁକୁ କ୍ଷତି ପହଞ୍ଚାଇବାକୁ, ଯେଉଁ ଯେଉଁ ଜାଗାରେ ନୀତୀଶ ନିଜର ପ୍ରାର୍ଥୀ ଦେଇଥିଲେ ସେହି ସେହି ଜାଗାରେ ଚିରାଗ ମଧ୍ୟ ପ୍ରାର୍ଥୀ ଦେଇଥିଲେ । ତେବେ  ୧୩୭ ସିଟରେ ପ୍ରାର୍ଥୀ ଦେଇଥିଲେ ବି, ଚିରାଗ କିନ୍ତୁ ଗୋଟିଏ ସିଟରେ ବାଜି ମାରିପାରିଥିଲେ ।

ହେଲେ ୩୩ଟି ସିଟରେ କିନ୍ତୁ ଜେଡିୟୁ ନେତାଙ୍କୁ ସିଧା ସିଧା କ୍ଷତି ପହଞ୍ଚାଇଥିଲେ ଏଲଜେପି ନେତା । ଏମିତି କି ୨୮ଟି ସିଟରେ ଏଲଜେପି ପ୍ରାର୍ଥୀଙ୍କୁ ଯେତିକି ଭୋଟ୍ ମିଳିଥିଲା, ଜେଡିୟୁ ନେତା ସେତିକି ଭୋଟ୍ ଅନ୍ତରରେ ହିଁ ପରାଜୟ ଭୋଗିଥିଲେ । ଯାହାପରେ ଚର୍ଚ୍ଚା ହେଇଥିଲା ଯେ, ନୀତୀଶଙ୍କ କାଟତି କମାଇବାକୁ ହିଁ ଏମିତି ପ୍ଲାନ୍ ପ୍ରସ୍ତୁତ କରିଥିଲା ବିଜେପି । ତେଣୁ ଏଥର ମଧ୍ୟ ଏହି 33ଟି ସିଟ୍ ଉପରେ ନଜର ରଖି, ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗିପଡ଼ିଛନ୍ତି ଚିରାଗ ପାସଓ୍ୱାନ ।

ଗତଥର ବିହାର ନିର୍ବାଚନର ରେଜଲ୍ଟ ଆସିବା ପରେ ନୀତୀଶ କୁମାର ନିଜ ପାର୍ଟିର ଖରାପ ପ୍ରଦର୍ଶନ ପାଇଁ ଚିରାଗ ପାସଓ୍ୱାନଙ୍କ ପାର୍ଟିକୁ ଦାୟୀ କରିଥିଲେ । ଏମିତି ଜେଡିୟୁର କିଛି ନେତା ଏହା ପଛରେ ବିଜେପିର ଚାଲ୍ ବୋଲି ସିଧା ସିଧା କହିଥିଲେ । ହେଲେ ଏଥର କିନ୍ତୁ ଚିତ୍ର କିଛି ଭିନ୍ନ ହୋଇପାରେ । ଚିରାଗ ଏଥର ଏନଡିଏ ମେଣ୍ଟ ସହ ରହିଲେ ସିଟ୍ ବଣ୍ଟାଯିବା ଅନୁସାରେ ପ୍ରାର୍ଥୀ ଦେବେ, ତେଣୁ ଏହି ସମୟରେ ହିଁ ଚିରାଗ ଏହି ୩୩ଟି ସିଟ୍ ନିଜ ପକ୍ଷରେ ନେବାକୁ ଚେଷ୍ଟା କରୁଛନ୍ତି ।

ବିହାରରେ ଏବେ ନୀତୀଶଙ୍କ ଜେଡିୟୁ, ବିଜେପି ଏବଂ ଏଲଜେପିକୁ ନେଇ ଏନଡିଏ ମେଣ୍ଟ ସରକାରରେ ରହିଛି । ଆଉ ଆଗାମୀ ନିର୍ବାଚନରେ ଏଲଜେପି  ୭୦ ସିଟରେ ଲଢ଼ିବାକୁ ଦାବି କରୁଛନ୍ତି । ସମ୍ଭବତଃ ଏଲଜେପିକୁ  ୭୦ ସିଟ୍ ନମିଳିଲେ ବି, ପାଖାପାଖି ୪୦ଟି ସିଟ୍ ମିଳିପାରେ ବୋଲି କୁହାଯାଉଛି । ତା ପରେ ବି ସେତିକି ନହେଲେ, ଏଲଜେପି ଅତି କମରେ  ୩୩ ସିଟରେ ନିର୍ବାଚନ ଲଢ଼ିପାରେ । ଆଉ ଯଦି ଏହି  ୩୩ ସିଟରେ ଏଲଜେପି ବାଜି ମାରିନିଏ, ତେବେ କିଙ୍ଗ୍ ମେକର ଭୂମିକାରେ ରହିବେ ଚିରାଗ ପାସଓ୍ୱାନ । 

 ସୂଚନା ଅନୁସାରେ ଏଥର ବିହାରରେ ବିଜେପି ନିଜେ  ୧୦୨ ସିଟରେ ଲଢ଼ିବା ସହିତ ଜେଡିୟୁକୁ ମଧ୍ୟ  ୧୦୨ ସିଟ୍ ଦେଇପାରେ । ଏହାବାଦ୍ ଚିରାଗଙ୍କ ଏଲଜେପିକୁ ୨୮ରୁ ୩୦ ସିଟ୍ ମିଳିପାରେ । ତେଣୁ ଦେଖିବାକୁ ବାକି ରହିଲା, ବିହାରରେ ଏଥର କେମିତି ସିଟ୍ ବାଣ୍ଟୁଛି ବିଜେପି? ଆଉ କାହାକୁ ମିଳୁଛି କେତେ ସିଟ୍?