chinese-manjha Photograph: (Google)
କନକ ବ୍ୟୁରୋ: ପତଳା ଗୁଡ଼ି ଦଉଡ଼ିର ପ୍ରଭାବରେ ଏକ ସରଳ ହଳଦିଆ ପେନସିଲ୍ ଛିଣ୍ଡିଯିବାରୁ କୋର୍ଟ ରୁମ୍ ନୀରବ ହୋଇଗଲା । ମଧ୍ୟପ୍ରଦେଶ ହାଇକୋର୍ଟ, ଇନ୍ଦୋର ବେଞ୍ଚରେ, ମାଞ୍ଜା ନାମରେ ପରିଚିତ ଚାଇନିଜ୍ ଗୁଡ଼ିର ବିପଦ କେତେ ଭୟାନକ ତାହା କୋର୍ଟରେ ସାଧାରଣ ଭାବେ ହେଉଥିବା ଯୁକ୍ତି ମାଧ୍ୟମରେ ନ କରାଯାଇ କାର୍ଯ୍ୟରେ ପ୍ରଦର୍ଶନ କରାଯାଇ ପ୍ରମାଣିତ ହୋଇଥିଲା । ଶୁକ୍ରବାର ଶୁଣାଣି ସମୟରେ, କୋର୍ଟଙ୍କ ସମ୍ମୁଖରେ ଏକ ନିଷିଦ୍ଧ ନାଇଲନ୍ ଗୁଡ଼ି ସୂତା ଉପସ୍ଥାପିତ ହୋଇଥିଲା । ବିଚାରପତି ବିଜୟ କୁମାର ଶୁକ୍ଳା ଏବଂ ଆଲୋକ ଅବସ୍ଥି ଏହାକୁ ଯାଞ୍ଚ୍ କରିବା ସମୟରେ,ସୂତାଟି ଏକ ପେନସିଲ୍ ଉପରେ ରଖି ଟଣା ଯାଇଥିଲା । ଏହା ପେନସିଲ୍କୁ କାଟି ଦେଇଥିଲା। ଖଣ୍ଡପୀଠ ମତ ଦେଇଛନ୍ତି ଯେ, ଯଦି ଏକ କଠିନ ପେନସିଲ୍କୁ ମାଞ୍ଜା ଏତେ ସହଜରେ କାଟି ଦେଇ ପାରୁଛି। ତେବେ ଏହା ଯୋଗୁ ମଣିଷଙ୍କ ଜୀବନ ପ୍ରତି ବିପଦଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । କୋର୍ଟ କହିଛନ୍ତି, ଯଦି କର୍ତ୍ତୃପକ୍ଷ ଏହି ବିପଦକୁ ନିୟନ୍ତ୍ରଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ଗୁଡ଼ି ଉଡ଼ାଣକୁ ନିଷିଦ୍ଧ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଆଉ ରହିନପାରେ ।
ନାବାଳକଙ୍କ ପାଇଁ ଅଭିଭାବକ ଭୋଗିବେ ଦଣ୍ଡ
କୋର୍ଟ ସ୍ପଷ୍ଟ କରିଛନ୍ତି, ଚାଇନିଜ୍ ମାଞ୍ଜା ବିକ୍ରୟ କିମ୍ବା ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି ନାବାଳକମାନେ ନିଷିଦ୍ଧ ସୂତା ବ୍ୟବହାର କରି ଧରାପଡ଼ନ୍ତି, ତେବେ ସେମାନଙ୍କ ଅଭିଭାବକଙ୍କୁ ଆଇନଗତ ଭାବରେ ଦାୟୀ କରାଯିବ। କୋର୍ଟ ଉଲ୍ଲେଖ କରିଛନ୍ତି, ଚାଇନିଜ୍ ଗୁଡ଼ିର ସୂତା ଯୋଗୁ ଗତ କିଛି ମାସ ମଧ୍ୟରେ ଇନ୍ଦୋରରେ ତିନି ଜଣଙ୍କ ଜୀବନ ଯାଇଛି। ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ଅଗଣିତ ପକ୍ଷୀ ସୂତାରେ ଫସି ମରିଛନ୍ତି ।
ଅଧିକ ପଢନ୍ତୁ: କାଟୁଛି ତଣ୍ଟି, ସାଜୁଛି କାଳ : ଘାତକ ହେଉଛି ମାଞ୍ଜା ସୂତା
କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିଲେ ମଧ୍ୟ ବାସ୍ତବତା କହୁଛି ଭିନ୍ନ କାହାଣୀ
ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟକୁ କହିଥିଲେ ଯେ, ଚାଇନିଜ୍ ମାଞ୍ଜାର ଉତ୍ପାଦନ, ବିକ୍ରୟ ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ ସତ୍ତ୍ୱେ ମକର ସଂକ୍ରାନ୍ତି ସମୟରେ ତାଙ୍କ ଛାତ ଉପରେ ଚାଇନିଜ୍ ମାଞ୍ଜା ସୂତା ପଡ଼ିଥିଲା । ଏନେଇ ବିଚାରପତି ଜିଲ୍ଲା ପ୍ରଶାସନକୁ କଠୋର ଆଭିମୁଖ୍ୟ ଦର୍ଶାଇ ପ୍ରଶ୍ନ କରିଥିଲେ । ବିଚାରପତି ଉଲ୍ଲେଖ କରିଥିଲେ, କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଥିଲେ ମଧ୍ୟ ବାସ୍ତବତା ଭିନ୍ନ କାହାଣୀ କହୁଛି। ଖଣ୍ଡପୀଠ କଟା ଗଳା, ଆହତ ଯାତ୍ରୀ ଓ ବିକୃତ ପକ୍ଷୀଙ୍କ ଫଟୋକୁ ଉଲ୍ଲେଖ କରି କହିଛନ୍ତି, ସମ୍ବାଦପତ୍ରରେ ପ୍ରକାଶିତ ଫଟୋଗୁଡ଼ିକ ହୃଦୟ ବିଦାରକ । କୋର୍ଟ ଦର୍ଶାଇଛନ୍ତି, ପ୍ରତିବର୍ଷ ଗୁଜରାଟରେ ବଡ଼ ଧରଣର ଗୁଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଥାଏ । କିନ୍ତୁ ସେଠାରେ ଏଭଳି ମୃତ୍ୟୁ କମ୍ ରିପୋର୍ଟ ହୋଇଥାଏ ।
ପ୍ରକାଶିତ ଫଟୋ ମଧ୍ୟପ୍ରଦେଶରେ କାର୍ଯ୍ୟାନୁଷ୍ଠାନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ହାଇକୋର୍ଟ ମଧ୍ୟପ୍ରଦେଶର ମୁଖ୍ୟ ସଚିବଙ୍କୁ ଚାଇନିଜ୍ ଗୁଡ଼ି ସୂତାକୁ ବ୍ୟବହାର ନ କରିବା ପାଇଁ କଠୋର ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପରିସ୍ଥିତି ଅନିୟନ୍ତ୍ରିତ ରହେ, ତେବେ ଗୁଡ଼ି ଉଡ଼ାଣ ନିଷିଦ୍ଧ ହୋଇପାରେ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ପୁଣି ଶୁଣାଣି ହେବ ବୋଲି ଖଣ୍ଡପୀଠ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି। ୧୧ ଡିସେମ୍ବର ୨୦୨୫ରେ, ଇନ୍ଦୋର ଏବଂ ଆଖପାଖ ଜିଲ୍ଲାଗୁଡ଼ିକରେ ଚାଇନିଜ୍ ମାଞ୍ଜାର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାରକୁ ନିଷିଦ୍ଧ କରାଯାଇଥିଲା। ୧୨ ଜାନୁଆରି ୨୦୨୬ରେ, କୋର୍ଟ ଦୁର୍ଘଟଣା ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ସତ୍ତ୍ୱେ, ମକର ସଂକ୍ରାନ୍ତି ସମୟରେ ଅନେକ ମାରାତ୍ମକ ଘଟଣା ରିପୋର୍ଟ ହୋଇଥିଲା । ଗଭୀର ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଦେଶ ପରେ ମଧ୍ୟ ମୃତ୍ୟୁ ଜାରି ରହିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଚାଇନିଜ୍ ଗୁଡ଼ି ସୂତା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୦୬(୧) ଅନୁଯାୟୀ ହତ୍ୟା ମାମଲା ବୋଲି ଧରାଯିବ ।
୪ ଘଣ୍ଟାରେ, ୩ ଜଣଙ୍କ ଜୀବନ ନେଲା ଚାଇନିଜ୍ ମାଞ୍ଜା ସୂତା
ଜାନୁଆରି ୧୧ ତାରିଖରେ ମାତ୍ର ଚାରି ଘଣ୍ଟା ମଧ୍ୟରେ, ଇନ୍ଦୋରରେ ତିନି ଜଣ ମୋଟରସାଇକେଲ ଆରୋହୀଙ୍କ ବେକରେ ଚାଇନିଜ୍ ମାଞ୍ଜା ସୂତା ଗୁଡ଼ାଇହେବା ଯୋଗୁ ଗୁରୁତର ଆଘାତ ଲାଗିଥିଲା । ସେମାନଙ୍କ ମଧ୍ୟରୁ ଜଣେ, ୩୫ ବର୍ଷୀୟ ରଘୁବୀର ଧାକଡଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା। ବିଚୋଲି ମର୍ଦାନାର ଓମ୍ ସାଇ ବିହାର କଲୋନିର ଜଣେ ଟାଇଲ୍ସ ଠିକାଦାର ରଘୁବୀର ଏକ କାର୍ଯ୍ୟସ୍ଥଳ ଯାଞ୍ଚ୍ କରି ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ, ଶକୁନ୍ତଳା ହସ୍ପିଟାଲ ନିକଟ ଖଜରାଣା ସେତୁ ଉପରେ, ଏକ ଚାଇନିଜ୍ ଗୁଡ଼ି ସୂତା ତାଙ୍କ ଗଳାକୁ କାଟି ଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା ।
Follow Us