କନକ ବ୍ୟୁରୋ: ବିଶ୍ବ ବଜାରରେ ଆଉ ନାହିଁ ଚୀନର ଦବଦବା । କମିବାରେ ଲାଗିଛି ଚାଇନା ସାମଗ୍ରୀର ଚାହିଦା । ଏ କଥା ଆମେ ନୁହେଁ ବରଂ କହୁଛି ରେଟିଂ ଏଜେନ୍ସି ମୁଡିଜ୍‌ର ରିପୋର୍ଟ । ଦଶନ୍ଧି ଦଶନ୍ଧି ଧରି ତୈଳ ଓ ଗ୍ୟାସ ଆମଦାନୀରେ ଆଗରେ ରହୁଥିଲା ଚୀନ୍ । ହେଲେ ଏବେ ଚୀନର ପ୍ରାଧାନ୍ୟ କମିବାରେ ଲାଗିଛି । 

Advertisment

ରିପୋର୍ଟ କହୁଛି ଭାରତ ଆଗାମୀ ୧୦ ବର୍ଷରେ ତୈଳ ଓ ଗ୍ୟାସ୍ ଆମଦାନୀରେ ଚୀନକୁ ପଛରେ ପକାଇବ । ଏହାର ବଡ଼ କାରଣ ହେଉଛି, ଶିଳ୍ପାୟନ କ୍ଷେତ୍ରରେ ଗ୍ରୁତ ଗତିରେ ବଢିବାରେ ଲାଗିଛି ଭାରତ । ଅନେକ ଭିତ୍ତିଭୂମିର ବି ବିକାଶ ହେଉଛି । ମଧ୍ୟବିତ୍ତ ଶ୍ରେଣୀ ବୃଦ୍ଧି ପାଉଛି, ଲୋକଙ୍କ ଗମନାଗମନ ଆବଶ୍ୟକତା ବି ବଢ଼ିଛି । ଏହି କାରଣରୁ ତୈଳ ଓ ଗ୍ୟାସର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଚୀନରେ ବଢୁଛି ବିଦ୍ୟୁତ୍‌ ଚାଳିତ ଯାନର ବ୍ୟବହାର । ଯେଉଁଥିପାଇଁ ଚୀନରେ ତେଲର ଚାହିଦା ହ୍ରାସ ପାଉଛି । ମୁଡିଜ୍ ରିପୋର୍ଟରେ ଦର୍ଶାଯାଇଛି, ଆଗାମୀ ୧୦ବର୍ଷ ମଧ୍ୟରେ ଭାରତରେ ତୈଳ ଚାହିଦା ଚୀନ୍ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇବ । 

ସେହିପରି ଭାରତର ଆବଶ୍ୟକତାର ଏକ ପ୍ରମୁଖ ଅଂଶ ହେଉଛି ଗ୍ୟାସ୍ । ସରକାର ୨୦୩୦ ସୁଦ୍ଧା ଶକ୍ତି କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍‌ର ଅଂଶ ପ୍ରାୟ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ତଥାପି, ଗ୍ୟାସ୍ ଦର ବୃଦ୍ଧି ଓ ଭିତ୍ତିଭୂମିର ଅଭାବ ଗ୍ୟାସ୍ ବ୍ୟବହାରର ପ୍ରସାରକୁ ବାଧା ଦେଇପାରେ । ଓପେକ୍ ଅନୁଯାୟୀ, ଭାରତରେ ତୈଳ ଚାହିଦା ୨୦୨୪ ମସିହାରେ ପ୍ରତିଦିନ ୫.୫୫ ନିୟୁତ ବ୍ୟାରେଲ୍‌ରୁ ୨୦୨୫ରେ ୫.୭୪ ନିୟୁତ ବ୍ୟାରେଲ୍‌କୁ ବୃଦ୍ଧି ହୋଇପାରେ । 

ଏହା ପଛରେ ଅନେକ କିଛି କାରଣ ରହିଛି । ପ୍ରଥମତଃ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି । ଜାପାନକୁ ପଛରେ ପକାଇ ବିଶ୍ବ ଦରବାରରେ ଚତୁର୍ଥ ଅର୍ଥନୈତିକ ଦେଶ ଭାବରେ ନିଜକୁ ଛିଡ଼ା କରିବାରେ ଭାରତ ସଫଳ ହୋଇଛି । ଦ୍ବିତୀୟରେ ଭିତ୍ତିଭୂମିର ବିକାଶ ମଧ୍ୟ ଦେଖିବାକୁ ମିଳୁଛି । ତୃତୀୟରେ ଭାରତରେ ମଧ୍ୟବିତ୍ତ ବର୍ଗ ବୃଦ୍ଧି ପାଉଛି । ସେହି ସମୟରେ ଲୋକଙ୍କ ଯାତ୍ରାର ଆବଶ୍ୟକତା ବୃଦ୍ଧି ପାଉଛି । ଏହି ସମସ୍ତ କାରଣ ଯୋଗୁଁ ଭାରତରେ ତେଲ ଓ ଗ୍ୟାସ୍‌ର ଡିମାଣ୍ଡ ବଢ଼ିବାରେ ଲାଗିଛି । ତଥାପି, ଭାରତ ପାଇଁ ଅନେକ ଚ୍ୟାଲେଞ୍ଜ ବି ରହିଛି । 

ଚ୍ୟାଲେଞ୍ଜ ୧- ଦେଶରେ ତେଲ ଓ ଗ୍ୟାସ୍‌ର ଦର ଆକାଶ ଛୁଆଁ
ଚ୍ୟାଲେଞ୍ଜ ୨- ଦେଶରେ ସାମଗ୍ରିକ ଭାବେ ଭିତ୍ତିଭୂମିର ଅଭାବ

ଏହି ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ । ଭାରତରେ ତୈଳ ଓ ଗ୍ୟାସ୍‌ର ବର୍ଦ୍ଧିତ ଚାହିଦାରୁ ଭାରତୀୟ ଅର୍ଥନୀତି ଲାଭବାନ ହେବ । ଏହା ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ଓ ଲୋକଙ୍କ ଆୟ ବୃଦ୍ଧି କରିବ । ତଥାପି, ତେଲ ଓ ଗ୍ୟାସ୍‌ର ବର୍ଦ୍ଧିତ ଚାହିଦା ପରିବେଶକୁ କ୍ଷତି ପହଞ୍ଚାଉ ନାହିଁ ବୋଲି ଭାରତକୁ ସୁନିଶ୍ଚିତ କରିବାକୁ ହେବ । ଭାରତ ସରକାର ସ୍ୱଚ୍ଛ ଶକ୍ତି ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ । ଏହାଦ୍ୱାରା ଭାରତ ତେଲ ଓ ଗ୍ୟାସ ଉପରେ ନିର୍ଭରଶୀଳତା ହ୍ରାସ କରିପାରିବ ଏବଂ ପରିବେଶକୁ ମଧ୍ୟ ରକ୍ଷା କରିପାରିବ ।