କନକ ବ୍ୟୁରୋ: ନୂଆବର୍ଷରେ ବି ଆମେରିକା-ଚୀନ ମୁହାଁମୁହିଁ । କେହି କାହାକୁ ଛାଡ଼ିବାକୁ ନାରାଜ । ପୂର୍ବରୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ କହିଥିଲେ, ଚୀନ ଉପରେ ବ୍ୟବସାୟୀକ ଟିକସର ପରିମାଣ ବୃଦ୍ଧି ହେବ । ଠିକ୍‌ ସେମିତି ଆମେରିକାକୁ କଡ଼ା ଜବାବ ଦେଇଛନ୍ତି ଚୀନର ରାଷ୍ଟ୍ରପତି ଜିନପିଙ୍ଗ । କହିଛନ୍ତି , ଚୀନକୁ କେହି କେବେ ଅଟକାଇପାରିବ ନାହିଁ । ତାଇୱାନକୁ ଅଲଗା କରିବାକୁ ଯେଉଁ ହୀନ ଚକ୍ରାନ୍ତ ହେଉଛି ତାହା କେବେ ଫଳପ୍ରଦ ହେବ ନାହିଁ । ଏମିତିକି ଚୀନ କାହାର ନାଲିଆଖିରେ ଡରିଯିବାର ଦେଶ ନୁହେଁ ବୋଲି ଜୀନପିଙ୍ଗ କହିଛନ୍ତି । ଉଭୟ ଦେଶର ନେତାଙ୍କ ଏମିତି ବାକଯୁଦ୍ଧ ପରେ ପୁରା ବିଶ୍ବରେ ଜୋର ଧରିଲାଣି ଚର୍ଚ୍ଚା । କୁହାଯାଉଛି କି, ୨୦୨୫ରେ ଆମେରିକା-ଚୀନ ସମ୍ପର୍କରେ ଜାରି ରହିବ ତିକ୍ତତା ।

Advertisment

ପରୋକ୍ଷରେ ଆମେରିକାକୁ ଦେଲେ ଧମକ

୨୦୨୫ ନୂଆବର୍ଷରେ ଦେଶକୁ ସମ୍ୱୋଧିତ କଲା ବେଳେ ଜିନପିଙ୍ଗ କହିଛନ୍ତି, ଚୀନ ଓ ତାଇୱାନରେ ରହୁଥିବା ନାଗରିକମାନେ ଭାଇଭାଇ । ଆମ ଭିତରେ ଯିଏ ବାଡ଼ ତିଆରି କରିବାକୁ ଚେଷ୍ଟା କରିବ ସିଏ କେବେ ଲାଭ ପାଇବ ନାହିଁ । ଏମିତିକି, ତାଇୱାନର ଦୀପକୁ ଚୀନ ନିଜର ଦାବି କରିବା ସହିତ କୂଟନୈତିକ ବାର୍ତ୍ତା ଦେଉଥିବା ସ୍ପଷ୍ଟ ଜଣାପଡୁଛି । ଏପଟେ କିନ୍ତୁ ତାଇୱାନ ଚୀନରେ ମିଶିବାକୁ ଚାହୁଁନଥିବା ବେଳେ ଚାନର ଏମିତି ବାର୍ତ୍ତା ଚିନ୍ତା ବଢାଉଛି । କୁହଯାଉଛି କି, ଟ୍ରମ୍ପ ଶପଥ ନେବା ପରେ ତାଇୱାନକୁ ସ୍ବାଧୀନତା ମିଳିପାରେ । ଯାହାକୁ ଜୋରଦାର ବିରୋଧ କରୁଛି ଚୀନ । ତେଣୁ ଆମେରିକା ଉଦ୍ଦେଶ୍ୟ ଚୀନ ଏମିତି ବୟାନ ଦେଇଥିବା କୁହାଯାଉଛି ।

ମଜବୁତ ହେବ ଅର୍ଥନୀତି

କରୋନା ମହାମାରୀ ପରେ ପୁରା ବିଶ୍ବର ଅର୍ଥନୀତି ବିଗିଡ଼ିଯାଇଛି । ଖାସ କରି ଚୀନ ଏହି ମହାମାରୀର ଜନକ ବୋଲି ଅନେକ ଦେଶ ଅଭିଯୋଗ କରିଛନ୍ତି । ହେଲେ ଏହାରି ଭିତରେ, ଚୀନର ମାନ୍ଦବସ୍ଥା ସୁଧୁରିବା ପାଇଁ ସରକାର ସବୁପ୍ରକାର ବନ୍ଦୋବସ୍ତ କରୁଥିବା ଚୀନ ରାଷ୍ଟ୍ରପତି କହିଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆମେରିକା ସହ ୟୁରୋପୀୟ ସଂଘ ରାଷ୍ଟ୍ର ଚୀନ ଉପରେ ଆମଦାନୀ ଶୁଳ୍କ ବଢାଇ ଦେଇଥିବାରୁ ଇ-ଯାନ ରପ୍ତାନୀ ଉପରେ ଚୀନକୁ ସଂଘର୍ଷ କରିବାକୁ ପଡ଼ୁଛି । ଏପଟେ ଦାୟିତ୍ବ ନେବା ପୂର୍ବରୁ ହିଁ ଚୀନ ବିରୋଧରେ ଆମେରିକା ଆମଦାନୀ ଶୁଳ୍କ ବଢାଇବାକୁ ଇଙ୍ଗିତ ଦେଇସାରିଛନ୍ତି ଟ୍ରମ୍ପ । ତେଣୁ ଦ୍ବିତୀୟଥର ଲାଗି ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଆମେରିକା-ଚୀନ ସମ୍ପର୍କ ଆହୁରି ତିକ୍ତତାପୂର୍ଣ୍ଣ ରହିବ ବୋଲି ଅନ୍ତର୍ଜାତୀୟ ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଟ୍ରମ୍ପ ନିଜର ପ୍ରଥମ ଶାସନ କାଳରେ ଚୀନ ଉପରେ ପାଖାପାଖି ୩୮୦ ଆରବ ଆମେରିକୀୟ ଡଲାରରୁ ଅଧିକ ଆମଦାନୀ ଶୁଳ୍କ ଲଗାଇଥିଲେ । କୁହାଯାଉଥିଲା କି ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଏବେ ପୁଣି ଥରେ ଟ୍ରମ୍ପ ଆମଦାନୀ ଶୁଳ୍କ ବଢାଇବାକୁ ଚେତାବନୀ ଦେଇଥିବା ପରେ ସମ୍ପର୍କ ଆହୁରି ତିକ୍ତତା ହେବ ବୋଲି କୁହାଯାଉଛି ।