କନକ ବ୍ୟୁରୋ: ଆମେରିକାକୁ ଚୀନର ଶକ୍ତ ଝଟକା । ଆମେରୀକୀୟ କମ୍ପାନିଠୁ ବିମାନ କିଣିବନି ବେଜିଂ । ଉଭୟ ଦେଶ ମଧ୍ୟରେ ଟାରିଫକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ଟ୍ରମ୍ପ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ସୂଚନା ଅନୁସାରେ ଆମେରିକୀୟ କମ୍ପାନି ବୋଇଂଠାରୁ ବିମାନ, ବିମାନ ନିର୍ମାଣରେ ବ୍ୟବହୃତ ଉପକରଣ ନକିଣିବାକୁ ଚୀନ୍ ତାର ବିମାନ ସେବା କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।
ଆମେରିକା ଏବେ ଚୀନରୁ ଆମଦାନୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରୁଛି। ସେହି ସମୟରେ, ଚୀନ୍ ଆମେରିକୀୟ ଆମଦାନୀ ଉପରେ ୧୨୫ ପ୍ରତିଶତ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିଛି । ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବିମାସେବା ବଜାର। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ବୋଇଂ ଏବଂ ସମ୍ପୃକ୍ତ ଚୀନ୍ ଏୟାରଲାଇନ୍ସ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନି ।