କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ୍ ଗସ୍ତକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚୀନ୍ ଗସ୍ତରେ ମୋଦୀ ଏଥର ସି ଜିନପିଙ୍ଗକୁ ଭେଟିବା ସହିତ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମଧ୍ୟ ଭେଟିଥିଲେ । ହେଲେ ତା ଭିତରେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ଏହି ଗୋଟିଏ ଫଟୋ ଏବେ ସବୁଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି । କାହିଁକି ନା, ମୋଦୀଙ୍କ ସହ ଏହି ଫଟୋରେ ଯେଉଁ ଲୋକ ଅଛନ୍ତି, ସେ ହେଉଛନ୍ତି ଚୀନର ଚାଣକ୍ୟ କୁହାଯାଉଥିବା କେଈ ଚୀ ।  

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଆଉ ଚୀନର ଚାଣକ୍ୟ କୁହାଯାଉଥିବା କେଈ ଚୀ, ଏଥର ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରିଛନ୍ତି । କୁହାଯାଇଛି, ଭାରତ ଆଉ ଚୀନ୍ ସମ୍ପର୍କରେ ଏହି ଆଲୋଚନା ପରେ ସୁଧାର ଆସିପାରେ । ତେବେ ମୋଦୀ ଆଉ କେଈ ଚୀଙ୍କ ଏହି ମିଟିଂ ବିଷୟରେ ଜାଣିବା ପୂର୍ବରୁ ପ୍ରଥମେ ଜାଣିନିଅନ୍ତୁ କାହିଁକି ଏହି ନେତାଙ୍କୁ ଚୀନର ଚାଣକ୍ୟ ବୋଲି କୁହାଯାଏ?

ଆପଣ ଭଲ ଭାବେ ଜାଣିଥିବେ ଚୀନରେ ବର୍ତ୍ତମାନ କମ୍ୟୁନିଷ୍ଟ ଶାସନ ଚାଲିଛି । ଆଉ ଯାହାର ରାଷ୍ଟ୍ରପତି ଅଛନ୍ତି ସି ଜିନପିଙ୍ଗ୍ । କୁହାଯାଏ ରାଷ୍ଟ୍ରପତି ଜିନପିଙ୍ଗଙ୍କର ଡାହାଣ ହାତ ହେଉଛନ୍ତି କେଈ ଚୀ । ଚୀନ ରାଜନୀତିରେ ତାଙ୍କର ପ୍ରଭାବ ବହୁତ ଅଧିକ ହୋଇଥିବାବେଳେ, କମ୍ୟୁନିଷ୍ଟ ପାର୍ଟିରେ ମଧ୍ୟ ତାଙ୍କର କଥାକୁ କେହି କାଟିପାରନ୍ତିନି । ଚୀନର ରାଜନୀତିରେ କେଇ ଚୀ ହେଉଛନ୍ତି ଏମିତି ଜଣେ ଲୋକ, ଯାହାଙ୍କ ମୁହଁରୁ ସାଧାରଣ ଲୋକ କେବେ ହସ ଦେଖିନାହାଁନ୍ତି । ସବୁବେଳେ ସିରିୟସ୍ ରହୁଥିବା ଚୀନର ଏହି ଚାଣକ୍ୟ ଯେତେବେଳେ ମୋଦୀଙ୍କୁ ଭେଟିଛନ୍ତି, ସେତେବେଳେ ଏହି ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭାରତର ରାଜନୀତିରେ ଅମିତ ଶାହାଙ୍କୁ ଯେଉଁଭଳି ଭାବେ ଗୁରୁତ୍ୱ ଦିଆଯାଏ, ଚୀନ୍ ରାଜନୀତିରେ ମଧ୍ୟ କେଇ ଚୀ ସେହିଭଳି ଏକ ଚେହେରା । କମ୍ୟୁନିଷ୍ଟ ପାର୍ଟିରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବା ସହିତ ଚୀନର ଜଣେ ପ୍ରଭାବଶାଳୀ ଲୋକ ଭାବେ ବେଶ ପରିଚିତ । ଏହାସହିତ କମ୍ୟୁନିଷ୍ଟ ପାର୍ଟିର ସଚିବାଳୟରେ ମଧ୍ୟ ଚୀନର ଏହି ଚାଣକ୍ୟ ହେଉଛନ୍ତି ସ୍ଥାୟୀ ସମିତିର ସଦସ୍ୟ ।

ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିବା ସହିତ ଚୀନର ଚାଣକ୍ୟଙ୍କୁ ଭେଟିବା ପରେ, ଭାରତ-ଚୀନ ସମ୍ପର୍କରେ ସୁଧାର ଆସିପାରେ ବୋଲି କୁହାଯାଉଛି । ତେଣୁ ଦେଖିବାର କଥା, ଆଗକୁ ଭାରତ-ଚୀନ୍ ସମ୍ପର୍କ କେଉଁ ମୋଡ଼ ନେଉଛି?