କନକ ବ୍ୟୁରୋ : ଭାରତରେ ପଶିଲା ଚୀନର HMPV ଭୂତାଣୁ । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଏଥିରେ ୩ ଜଣ ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ବେଙ୍ଗାଲୁରୁରେ ଦୁଇଜଣ, ଗୁଜରାଟ ଅହମ୍ମଦାବାଦରେ ୨ ମାସର ଶିଶୁ ଓ ଚେନ୍ନାଇରେ ୨ ଜଣ ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଚୀନରେ HMPV ଭୂତାଣୁ ଦ୍ରୁତ ଗତିରେ ବଢୁଥିବାବେଳେ ଭାରତରେ ସଂକ୍ରମିତ ଚିହ୍ନଟ ହେବା ଭୟକୁ ବଢାଇଦେଇଛି । ତେବେ  କେନ୍ଦ୍ର ସରକାର ଏଥିରେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । କର୍ଣ୍ଣାଟକ ଓ ଗୁଜରାଟ ମାର୍ଗଦର୍ଶିକା ଜାରି କରିଛନ୍ତି । ଓଡିଶା ବି ପ୍ରସ୍ତୁତି ଆରମ୍ଭ କରିଛି । ମହାରାଷ୍ଟ୍ର ବି ମାର୍ଗଦର୍ଶିକା ଜାରି କରିଛି । ବିଶ୍ୱରେ କିମ୍ୱା ଦେଶରେ HMPV ଭୂତାଣୁ ନୂଆ ନୁହେଁ ବୋଲି କୁହାଯାଇଛି । ICMR  ଏଭଳି ସଂକ୍ରମଣ ଉପରେ ସତର୍କ ନଜର ରଖିଛି । ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ କୌଣସି ଅସ୍ୱଭାବିକ ବୃଦ୍ଧି ହୋଇନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏବେ ଆସନ୍ତୁ ଜାଣିବା ସଂକ୍ରମିତ ନ ହେବା ପାଇଁ ଆପଣ କଣ କରିବେ , କଣ କରିବେନି । 

Advertisment

କ'ଣ କରିବେ?
-ଥଣ୍ଡା ଓ କାଶ ହେଲେ ମୁହଁକୁ ରୁମାଲ କିମ୍ବା ଟିସୁ ପେପରରେ ଘୋଡାଇ ରଖନ୍ତୁ
-ସାନିଟାଇଜର କିମ୍ବା ସାବୁନରେ ହାତକୁ ସଫା ରଖନ୍ତୁ
-ଥଣ୍ଡା, କାଶ ହେଲେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଯଥାସମ୍ଭବ ଦୂରେଇ ରହୁନ୍ତୁ
- ଥଣ୍ଡା, କାଶ ହେଲେ ଘରେ ରହୁନ୍ତୁ ଓ ବେଶୀ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଓ ପ୍ରଚୁର ପାଣି ପିଅନ୍ତୁ

କ'ଣ କରିବେ ନାହିଁ ?
-ଟିସୁ ପେପର ଓ ରୁମାଲଙ୍କୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ
-ଅସୁସ୍ଥ ଥିବା ଲୋକଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
-ଆଖି, ମୁହଁ ଓ ନାକକୁ ବାରମ୍ବାର ଛୁଅଁନ୍ତୁ ନାହିଁ
-ସାର୍ବଜନନୀ ସ୍ଥାନରେ ଛେପ ପକାନ୍ତୁ ନାହିଁ