କନକ ବ୍ୟୁରୋ: ଲଘୁ ଖଣିଜ ସମ୍ପଦ ଚୋରିକୁ ନେଇ ହଇଚଇ ଲାଗି ରହିଥିବାବେଳେ, ସାମ୍ନାକୁ ଆସିଛି ଆଉ ଏକ ଚମକାଇ ଦେବା ଭଳି ତଥ୍ୟ । ସବୁବେଳେ ଭାରତ ସହ ଶତ୍ରୁଭଳି ଆଚରଣ କରି ଆସୁଥିବା ଚୀନକୁ ଓଡ଼ିଶାରୁ ଟନ୍ ଟନ୍ ଲୁହାପଥର ରପ୍ତାନୀ ହେଉଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।
ପଡ଼ୋଶୀ ହୋଇ ବି ବାରମ୍ବାର ଶତ୍ରୁ ଭଳି ଆଚରଣ କରି ଆସୁଛି ଚୀନ । କେତେବେଳେ ଭାରତୀୟ ସୀମା ଭିତରେ ଜବରଦସ୍ତି ପଶିବାକୁ ଉଦ୍ୟମ କରୁଛି ତ ଆଉ କେତେବେଳେ ପାକିସ୍ତାନ ଭଳି ଆମ ଶତ୍ରୁ ରାଷ୍ଟ୍ରକୁ ସହଯୋଗ କରୁଛି । ଏଥିପାଇଁ ଅନେକ ସମୟରେ ଚୀନ ଦ୍ରବ୍ୟକୁ ବୟକଟ୍ କରିବାକୁ ଦାବି ହୋଇଥାଏ । ହେଲେ, ବିଡ଼ମ୍ବନାର ବିଷୟ ଗତ ତିନି ବର୍ଷରେ ଚୀନକୁ ଓଡ଼ିଶାରୁ ଯାଇଛି ସର୍ବାଧିକ ଲୁହାପଥର ।
ବିଧାନସଭାରେ ଖଣି ମନ୍ତ୍ରୀ ଦେଇଥିବା ତଥ୍ୟ, ଓଡ଼ିଶାରୁ ଚାଇନାକୁ ଯାଇଛି ଲୁହାପଥର
- ୨୦୨୨-୨୩ରେ ୬, ୪୪, ୪୩,୩୧୨ ମେଟ୍ରିକ୍ ଟନ୍
- ୨୦୨୩-୨୪ରେ ୨୦୭, ୮୧, ୯୬୮ ମେଟ୍ରିକ୍ ଟନ୍
- ୨୦୨୪-୨୦୨୫ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୧୪୬, ୫୨,୭୭୦ ମେଟ୍ରିକ୍ ଟନ୍
ଲୁହାପଥର ପଠାଇବା ବଦଳରେ ତିନି ବର୍ଷରେ ୨୪ ଶହ ୧୮ କୋଟି ୮୫ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଚାଇନାକୁ ଏତେ ପରିମାଣର ଲୁହାପଥର ଚାଲାଣ ହେଉଥିବା ସାମନାକୁ ଆସିବା ପରେ ତେଜିଛି ରାଜନୈତିକ ବୟାନବାଜି । ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବିଜେପି ସରକାର ସ୍ୱଦେଶୀ ଓ ଲୋକାଲ ଫର ଭୋକାଲ କଥା କହୁଥିବାବେଳେ କେମିତି ଚାଇନାକୁ ଏତେ ପରିମାଣର ଲୁହାପଥର ପଠଯାଉଛି, ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଦ୍ୱିତୀୟ ସର୍ବାଧିକ ଲୁହାପଥର ଗଚ୍ଛିତ ଦେଶ ହେଉଛି ଚୀନ । ଲୁହାପଥର ଗଚ୍ଛିତ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି । ତଥାପି ଚୀନକୁ ଭାରତରୁ ଏତେ ଲୁହାପଥର ରପ୍ତାନୀ କରାଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।