କନକ ବ୍ୟୁରୋ : LAC (ଲାଇନ୍ ଅଫ୍ ଆକଚୁଅଲ୍ କଣ୍ଟ୍ରୋଲ)ରେ ଚୀନ୍ ଭାରତ ମଧ୍ୟରେ ଅନେକ ତିକ୍ତତା ଦେଖିବାକୁ ମିଳିଛି । ବର୍ତ୍ତମାନ ଯଦିଓ ମାହୋଲ ସାମାନ୍ୟ ଥଣ୍ଡା ରହିଛି, କିନ୍ତୁ ଚୀନ୍ ତାର ବିସ୍ତାରବାଦୀ ନୀତିକୁ କେବେ ବି ପରିବର୍ତ୍ତନ କରିବ ନାହିଁ ତାହା ସମସ୍ତେ ଜାଣନ୍ତି । ଏହାରି ଭିତରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଚଳିତ ବଜେଟରେ ଚୀନ୍ ତାର ପ୍ରତିରକ୍ଷା ବଜେଟକୁ ବଢାଇବାକୁ ଯାଉଛି । ଦେଶ ଦେଶ ମଧ୍ୟରେ ବିଭିନ୍ନ କାରଣକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ ଚୀନର ପ୍ରତିରକ୍ଷା ବଜେଟ୍ ବଢାଇବା ଯୁଦ୍ଧ ଆଡକୁ ଇଙ୍ଗିତ କରୁନି ତ?
ପୂର୍ବ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟକୁ ୭.୨ ପ୍ରତିଶତ ବୃଦ୍ଧି କରିଥିଲା । ଯାହା ଭାରତର ବଜେଟ୍ ତୁଳନାରେ ୩ଗୁଣା ଅଧିକ । ଚଳିତ ବର୍ଷବି ଚୀନ୍ ପ୍ରତିରକ୍ଷା ବଜେଟରେ ବୃଦ୍ଧି କରିବାକୁ ଯାଉଛି । ପ୍ରତିରକ୍ଷା ବଜେଟ୍ ପାଖାପାଖି ୨୪୯ ଅରବ ଡଲାର ହେବ ବୋଲି ଚୀନ୍ ପ୍ରଧାନମନ୍ତ୍ରୀ ଲି-କିୟାଙ୍ଗ୍ ସଂସଦରେ ଡ୍ରାପ୍ଟ ବଜେଟ୍ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତାଇବାନ୍, ଜାପାନ, ଆମେରିକା ଭଳି ପ୍ରତିଦ୍ୱନ୍ଦିଙ୍କୁ ନଜରରେ ରଖି ଚୀନ୍ ତାର ସମସ୍ତ ସଶସ୍ତ୍ର ବାହିନୀକୁ ବ୍ୟାପକ ଭାବେ ଆଧୁନିକୀକରଣ କରୁଛି । ଗତ କିଛି ବର୍ଷ ହେବ ଚୀନ୍ ବିମାନବାହକ ଯୁଦ୍ଧପୋତ, ଅତ୍ୟାଧୁନିକ ଯୁଦ୍ଧ ଯାହଜ, ଅତ୍ୟାଧୁନିକ ଷ୍ଟିଲ୍ଥ ଯୁଦ୍ଧ ବିମାନ ତିଆରି କରୁଛି । ଏଭଳି ସ୍ଥିତିରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି, ଚୀନର ସାମରିକ ଆଧୁନିକୀକରଣକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
ଚୀନର ମୁକାବିଲା ପାଇଁ ଭାରତର ରଣନୀତି?
ଏଲଏସିରେ ଚୀନର ମୁକାବିଲା ପାଇଁ ଭାରତ ତାର ସାମରିକ ଭିତ୍ତିଭୂମିକୁ ଉନ୍ନତ କରିବା ଦିଗରେ ଧ୍ୟାନ ଦେଉଛି । ଭାରତ କେବେବି ଚାହେଁନି ଏଲଏସିରେ ଚୀନ୍ ଅପେକ୍ଷା ଭାରତର ପ୍ରସ୍ତୁତି କମ୍ ରହୁ । ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆର୍ଥିକ ବର୍ଷ ପାଇଁ ଭାରତ ତାର ପ୍ରତିରକ୍ଷା ବଜେଟ୍ ୮୧.୭୨ ଅରବ ଡଲାର୍ ସ୍ଥିର କରିଛି । କିନ୍ତୁ ଚୀନ୍ ତୁଳନାରେ ଏହା ଢେର୍ କମ୍ ରହିଛି । ଯେହେତୁ ଚୀନ୍ ତାର ପ୍ରତିରକ୍ଷା ବଜେଟକୁ ବଢାଇଛି, ସେହି ହିସାବରେ ଭାରତକୁ ବି ତାର ପ୍ରତିରକ୍ଷା ଖର୍ଚ୍ଚ ବଢାଇବାର ଅବଶ୍ୟକତା ରହିଛି । କାହିଁକି ନା, ଏଲଏସିରେ ୨୦୨୦ରୁ ଚୀନ୍ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଛି ।
ଭାରତ ପାଇଁ ଡବଲ ଚ୍ୟାଲେଞ୍ଜ
ଗୋଟିଏ ପଟେ ଭାରତ ସୀମାକୁ ପ୍ରବେଶ କରିବା ପାଇଁ ଚୀନ୍ ସୁଯୋଗ ଅପେକ୍ଷାରେ ରହିଛି । ଅନ୍ୟପଟେ ଏଲଓସିରେ ପାକିସ୍ତାନ ତାର ଆତଙ୍କବାଦୀ କାର୍ଯ୍ୟକଳାପ ଦେଖାଉଛି । ତଥାପି ଉଭୟ ସୀମାକୁ ଜଗି ରହିଛନ୍ତି ଭାରତୀୟ ଯବାନ । ଚୀନ୍ ଓ ପାକିସ୍ତାନ୍ ଉପରେ ତୀଖ୍ନ ନଜର ରହିଛି ଭାରତ । ଶତ୍ରୁକୁ ଯେପରି କୌଣସି ବି ସୁଯୋଗ ନମିଳେ, ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରାଯାଇଛି । ସମୁଦ୍ର ହେଉ କି ଆକାଶ ମାର୍ଗ, ସବୁଠୁ ଶତ୍ରୁ ଉପରେ ନଜର ରଖିଛି ଭାରତ । ଚୀନ୍ ତାର ପ୍ରତିରକ୍ଷା ବଜେଟକୁ ଯେତେବି ବଢାଉ କିନ୍ତୁ ଭାରତ ସହ ମୁକାବିଲା କରିବା ସହଜ ହେବନି ।