କନକ ବ୍ୟୁରୋ : ଭାରତ ସହ ଆଫଗାନିସ୍ତାନର ବଢୁଥିବା ସଂପର୍କକୁ ଦେଖି ଚୀନ ଏବେ ନୂଆ ଗେମ୍ ଖେଳିବା ଆରମ୍ଭ କରିଛି । ଚୀନ ପାକିସ୍ତାନ ଓ ତାଲିବାନ ସହ ସଂପର୍କ ବୃଦ୍ଧି କରିବାକୁ ଯାଇ ଚୀନ-ପାକିସ୍ତାନ ଇକୋନମିକ କରିଡର ବା ସିପିଇସି କୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର କରିବା ଉପରେ ସହମତି ପ୍ରକାଶ କରିଛି । ଚୀନ, ପାକିସ୍ତାନ ଓ ଆଫଗାନିସ୍ତାନର ବିଦେଶମନ୍ତ୍ରୀମାନେ ଏକ ବୈଠକ କରିଥିଲେ । ଏହାପରେ ଚୀନ ବିଦେଶ ମନ୍ତ୍ରୀ ବାଂଗ ୟୀ ଏନେଇ ସ୍ପଷ୍ଟ ଘୋଷଣା କରିଛନ୍ତି ।
ବେଜିଂରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବିଦେଶମନ୍ତ୍ରୀ ଇଶାକ ଡାର, ଚୀନ ବିଦେଶମନ୍ତ୍ରୀ ବାଂଗ ୟୀ ଓ ଆଫଗାନିସ୍ତାନର କାର୍ଯ୍ୟବାହୀ ବିଦେଶମନ୍ତ୍ରୀ ଅମିର ଖାନ୍ ମୁତ୍ତାକି ନିଜ ନିଜ ଦେଶର ବ୍ୟବସାୟ, ପାରମ୍ପରିକ ଢାଞ୍ଚା ଓ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଚର୍ଚ୍ଚା କରିଥିଲେ । ବୈଠକ ପରେ ଇଶାକ ଡାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି କି, ପାକିସ୍ତାନ, ଚୀନ ଓ ଆଫଗାନିସ୍ତାନ କ୍ଷେତ୍ରୀୟ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଗୋଟିଏ ମଞ୍ଚରେ ଠିଆ ହୋଇଛନ୍ତି ।
ସେପଟେ ଭାରତ ତରଫରୁ ଚୀନ-ପାକିସ୍ତାନ ଇକୋନମିକ କରିଡରରେ ଅନ୍ୟ ଏକ ଦେଶର ପ୍ରବେଶକୁ ନେଇ ଅଭିଯୋଗ କରିଛି । ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକର ଗତବର୍ଷ କହିଥିଲେ କି, ସିପିଇସି ପ୍ରୋଜେକ୍ଟରେ ଭାଗ ନେଉଥିବା ଦେଶ ଜମ୍ମୁ-କାଶ୍ମୀରର ସଂପ୍ରଭୁତାର ଉଲ୍ଲଘଂନ କରିବେ ।
ଏହି ପ୍ରକଳ୍ପର ଏକ ଭାଗ ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଦେଇ ଯାଉଛି । ଏହାକୁ ନେଇ ଭାରତ ଅଭିଯୋଗ କରିଛି । ଏହି କାରଣରୁ ଭାରତ ଚୀନର ବେଲ୍ଟ ଆଣ୍ଡ ରୋଡ ଇନଶିଏଟିବ୍ (ବିଆରଆଇ) ରେ ସାମିଲ ହେବାକୁ ମନା କରିଦେଇଛି । ଏହା ପାଖାପାଖି ୬୦ ବିଲିୟନ ଡଲାରର ।