କନକ ବ୍ୟୁରୋ: ଲୁଣରୁ ଚୀନ ତିଆରି କଲା ନ୍ୟୁକ୍ଲିୟର ରିଆକ୍ଟର । ଯେଉଁ ଲୁଣକୁ ଆମେ ଖାଦ୍ୟରେ ସ୍ୱାଦ ପାଇଁ ବ୍ୟବହାର କରୁଛେ, ଚୀନ ସେହି ତରଳ ଲୁଣରୁ ଇତିହାସ ରଚିବା ସହିତ, ବିଶ୍ୱରେ ପ୍ରଥମ ଥର ପାଇଁ ଥୋରିୟମ ମୋଲ୍ଟନ ସଲ୍ଟ ନ୍ୟୁକ୍ଲିୟର ପ୍ରସ୍ତୁତ କରିଛି । ଯେଉଁଥିରୁ କେବଳ ବିଜୁଳି ଉତ୍ପାଦନ ହେଉନି ବରଂ ଏଥିରୁ ଇନ୍ଧନ ମଧ୍ୟ ପ୍ରସ୍ତୁତ କରାଯାଇପାରୁଛି ।

Advertisment

ଏହି ଥୋରିୟମ ତରଳିତ ଲୁଣ ରିଆକ୍ଟର କ’ଣ?

ଚୀନର ଗୋବି ମରୁଭୂମିର ପାଖରେ ଏହି ରିଆକ୍ଟର ତିଆରି ହୋଇଛି । ଯାହାକି ଛୋଟ ହେଲେ ବି ବେଶ ଶକ୍ତିଶାଳୀ । ଏହା ୨ ମେଗାଓ୍ୱାଟ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ କରିଥାଏ । ଏଥିରେ ସାଧାରଣ ପରମାଣୁ ରିଆକ୍ଟର ପରି ୟୁରାନିୟମ ନୁହେଁ ବରଂ ଥୋରିୟମ ନାମକ ଏକ ବିଶେଷ ରେଡିଓ ଆକ୍ଟିଭ୍ ଧାତୁ ପୋଡାଯାଇଥାଏ । ଯାହାକି ପ୍ରଚୁର ପରିମାଣରେ ପୃଥିବୀରେ ମିଳିଥାଏ, ଆଉ ଏହା ବିପଦପୂର୍ଣ୍ଣ ନୁହେଁ ।

ଏବେ ଏହି ଥୋରିୟମକୁ ଲୁଣ ସହିତ ମିଶେଇ ଏକ ବିଶେଷ ପ୍ରକାରର ଦ୍ରବଣ ତିଆରି କରାଯାଇଛି । ଯାହା ଇନ୍ଧନ ଭାବରେ କାର୍ଯ୍ୟ କରୁଛି । ଏହାସହ ଏହି ରିଆକ୍ଟର ଉଚ୍ଚ ତାପମାତ୍ରାରେ ମଧ୍ୟ ବହୁତ ଥଣ୍ଡା ଭାବରେ କାମ କରେ । ଅର୍ଥାତ୍ ଏହି ରିଆକ୍ଟରରେ ବିସ୍ଫୋରଣ କିମ୍ବା ତରଳିବାର କୌଣସି ବିପଦ ନାହିଁ ।

ଥୋରିୟମର ବିଶେଷତ୍ତ୍ୱ?

ଥୋରିୟମ, ୟୁରାନିୟମ ଅପେକ୍ଷା ବହୁତ ସୁରକ୍ଷିତ । ଏହା ପ୍ରଚୁର ପରିମାଣରେ ଉପଲବ୍ଧ ଏବଂ ଏଥିରୁ ସୃଷ୍ଟି ହେଉଥିବା ପରମାଣୁ ଅପଚୟ ମଧ୍ୟ ବହୁତ କମ୍ । ଏହାସହିତ, ଏଥିରୁ ବାହାରୁଥିବା ବାଇ-ପ୍ରଡକ୍ଟକୁ ପରମାଣୁ ଅସ୍ତ୍ରରେ ବଦଳା ଯାଇପାରିବ । ଯାହାର ଅର୍ଥ ହେଉଛି ଯେ, ଚୀନ୍ କେବଳ ଏକ ସୁରକ୍ଷିତ ରିଆକ୍ଟର ନିର୍ମାଣ କରିନାହିଁ ବରଂ ପରୋକ୍ଷ ଭାବରେ ଏହାର ଶକ୍ତି ମଧ୍ୟ ବୃଦ୍ଧି କରିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଭ୍ୟନ୍ତରୀଣ ମଙ୍ଗୋଲିଆରେ ଥିବା ଥୋରିୟମ ଖଣିଗୁଡ଼ିକ ହଜାର ହଜାର ବର୍ଷ ଧରି ଚୀନ୍‌ର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିପାରିବ ଏବଂ ତାହା ମଧ୍ୟ ଅଧିକ ପ୍ରଦୂଷଣ କରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଏହି ପ୍ରଯୁକ୍ତିବିଦ୍ୟା ବିଜ୍ଞାନର ଦୁନିଆ ପାଇଁ କୌଣସି ନୂଆ କଥା ନୁହେଁ । ୧୯୬୦ ଦଶକରେ ଆମେରିକା ଏହା ଉପରେ ଗବେଷଣା କରିଥିଲା । ଏପରିକି ଏକ ତରଳ ଲୁଣ ରିଆକ୍ଟର ମଧ୍ୟ ନିର୍ମିତ ହୋଇଥିଲା । କିନ୍ତୁ ତା’ପରେ ଆମେରିକା ଏହାକୁ ଛାଡିଦେଇଥିଲା ଏବଂ ୟୁରାନିୟମକୁ ବାଛିଥିଲା ।