କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତ ବେଳେ ଇରାନ ଏବଂ ଚୀନକୁ ଏକ ବଡ଼ ଝଟକା ଦେଇଛନ୍ତି । ଟ୍ରମ୍ପ ପ୍ରଶାସନ ଇରାନର ଅବୈଧ ତୈଳ ବ୍ୟବସାୟକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି । ଆମେରିକାର ଅର୍ଥ ବିଭାଗ ୨୦ରୁ ଅଧିକ କମ୍ପାନି ଉପରେ କଠୋର କଟକଣା ଲଗାଇଛି । ଯେଉଁମାନଙ୍କ ଉପରେ କୋଟି କୋଟି ଟଙ୍କାର ଇରାନୀ ଅଶୋଧିତ ତୈଳ, ଚୀନକୁ ପରିବହନ କରିବା ନେଇ ବଡ଼ ଅଭିଯୋଗ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ଇରାନର ତୈଳ ରପ୍ତାନିକୁ ବନ୍ଦ କରିବା ଏବଂ ତେହେରାନ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ରଣନୀତି । ଟ୍ରମ୍ପ ପ୍ରଶାସନ ଅନୁଯାୟୀ, ଇରାନ ଏହି ଟଙ୍କାକୁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରୁଛି । ଯାହାକୁ ନେଇ କଟକଣା ଲଗାଇଛି ଆମେରିକା । ଏଥିରେ କେବଳ ଇରାନର କ୍ଷତି ହେବ ତାହାନୁହେଁ, ଚୀନ୍ ବି ବଡ଼ ମାତ୍ରାର କ୍ଷତି ସହିବ ।
ଆମେରିକାର ପ୍ରତିବନ୍ଧକ, କ’ଣ କହିଲା ଚୀନ୍?
ଆମେରିକା ଲଗାଇଥିବା ପ୍ରତିବନ୍ଧକ ଉପରେ ଚୀନ୍ ଆଲୋଚନା କରିଛି । ବେଜିଂ କହିଛି ଯେ, ୱାଶିଂଟନ ବେଆଇନ ଭାବରେ ନିଜ କ୍ଷେତ୍ରକୁ ବିସ୍ତାର କରିଛି, ଯାହା ବିଶ୍ୱ ବାଣିଜ୍ୟ ନିୟମକୁ ଦୁର୍ବଳ କରେ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହି କଟକଣାଗୁଡ଼ିକ କେବଳ ଇରାନ ଏବଂ ଚୀନ୍ ମଧ୍ୟରେ ବୈଧ ବାଣିଜ୍ୟ ସମ୍ପର୍କକୁ କ୍ଷତି ପହଞ୍ଚାଉନାହିଁ ବରଂ ବିଶ୍ୱ ଶକ୍ତି ବଜାରରେ ଅନାବଶ୍ୟକ ଅସ୍ଥିରତା ସୃଷ୍ଟି କରୁଛି । ଅନ୍ୟପଟେ ବିଶ୍ଳେଷକମାନେ ମତ ରଖି କହିଛନ୍ତି, ଚୀନ୍ ପାଇଁ ଏହି ପ୍ରତିବନ୍ଧକର ଜବାବ ଦେବା ସହଜ ହେବ ନାହିଁ, କାରଣ ଚୀନ୍ ତା'ର ଅର୍ଥନୀତି ପାଇଁ ଆମେରିକୀୟ ଆର୍ଥିକ ବ୍ୟବସ୍ଥା ଉପରେ ନିର୍ଭରଶୀଳ ।