କନକ ବ୍ୟୁରୋ: ପହଲ୍ଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ' ଅପରେସନ୍ ସିନ୍ଦୂର ' ଆରମ୍ଭ କରି ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା । ଏଥିରେ ହତାଶ ହୋଇ ପାକିସ୍ତାନ ତୁର୍କୀ ଏବଂ ଚୀନ୍ ଦ୍ୱାରା ପ୍ରଦାନ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ଢାଲ ଭାବରେ ବ୍ୟବହାର କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଭାରତ ଉପରେ ଆକ୍ରମଣ ପାଇଁ ପାକ୍ ବ୍ୟବହାର କରିଥିବା ଡ୍ରୋନ୍ ଏବଂ ମିସାଇଲକୁ ଆକାଶରେ ହିଁ ନଷ୍ଟ କରି ଦେଇଥିଲା ଭାରତୀୟ ସେନା ।
ଯେଉଁସବୁ ଡ୍ରୋନ୍ ଓ ମିସାଇଲ ଚୀନ୍ କିମ୍ବା ତୁର୍କୀ ପାଖରୁ ପାକିସ୍ତାନ ଆଣିଥିଲା, ଯାହା ଭାରତ ସମ୍ମୁଖରେ ବିଫଳ ହୋଇଥିଲା । ଭାରତର ଏୟାର ମାର୍ଶଲ ଏ.କେ. ଭାରତୀ କହିଥିଲେ, ଭାରତର ଏୟାର ଡିଫେନ୍ସ ସିଷ୍ଟମ ଶତ୍ରୁ ଆଗରେ ଏକ ପ୍ରାଚୀର ପରି ଠିଆ ହୋଇଛି । ଏହାକୁ ଭେଦ କରିବାକୁ ପାକିସ୍ତାନର କ୍ଷମତା ନାହିଁ । ତୁର୍କୀର ଡ୍ରୋନ୍ ହେଉ କି ଚୀନ୍ର ମିସାଇଲ, ଭାରତର ଟେକ୍ନୋଲୋଜି ଆଗରେ ସବୁକିଛି ଫେଲ୍ ମାରିଛି । ଫଳରେ ନିବେଶକଙ୍କ ମନରେ ଏବେ 'ମେଡ୍ ଇନ୍ ଚାଇନା' ପ୍ରଡକ୍ଟକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଫଳସ୍ୱରୂପ, ଚୀନର ପ୍ରତିରକ୍ଷା ଷ୍ଟକ୍ ମୂଲ୍ୟ ତୀବ୍ର ବେଗରେ ହ୍ରାସ ହେଉଛି ।
କ୍ଷତି ସହିଲେ ଚୀନ କମ୍ପାନି
ଚୀନର ସେଞ୍ଜେନରେ ଥିବା ବିମାନ କମ୍ପାନୀ ଏଭିକ୍ ଚେଙ୍ଗଡୁର ସେୟାରରେ ଲଗାତାର ତିନୋଟି ବାଣିଜ୍ୟିକ ଅଧିବେଶନରେ ସେୟାର ମୂଲ୍ୟ ୯ ପ୍ରତିଶତ ହ୍ରାସ ଘଟିଛି । ଭାରତ ବିପକ୍ଷ ଯୁଦ୍ଧ ସମୟରେ ପାକିସ୍ତାନ ଏହି କମ୍ପାନି ଦ୍ୱାରା ନିର୍ମିତ J-10C ଲଢ଼ୁଆ ବିମାନ ବ୍ୟବହାର କରିଥିଲା । ଯାହାକୁ ଅତି ସହଜରେ ନଷ୍ଟ କରିଦେଇଥିଲା ଭାରତର ଏସ୍-୪୦୦ ।
ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଭାରତୀୟ ସେନାକୁ ଟାର୍ଗେଟ କରିବା ପାଇଁ PL-15 ଏୟାର-ଟୁ-ଏୟାର ମିସାଇଲ ବ୍ୟବହାର କରିଥିଲା । ଏହାକୁ ପ୍ରସ୍ତୁତ କରିଥିଲା ଝୁଝୋ ହୋଙ୍ଗଡା ଇଲେକ୍ଟ୍ରୋନିକ୍ସ କମ୍ପାନି । ଏହି କମ୍ପାନିର କର୍ପସର ସେୟାରରେ ୧୦ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ, ଦୁଇ ଦିନରେ ଚାଇନା ଏରୋସ୍ପେସ୍ ଟାଇମ୍ସ ଇଲେକ୍ଟ୍ରୋନିକ୍ସର ସେୟାର ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି । ବ୍ରାଇଟ୍ ଲେଜର ଟେକ୍ନୋଲୋଜି, ନର୍ଥ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍, ଚାଇନା ସ୍ପେସ୍ସାଟ୍ ଏବଂ ଏଭିକ୍ ଏୟାରକ୍ରାଫ୍ଟର ସେୟାର ମୂଲ୍ୟ ମଧ୍ୟ ୫ରୁ ୧୦ ପ୍ରତିଶତ ହ୍ରାସ ପାଇଛି ।