Photograph: (KANAKNEWS)
କନକବ୍ୟୁରୋ : ଚୀନ୍ ଜମ୍ମୁ-କାଶ୍ମୀରର ଶକ୍ସଗାମ୍ ଘାଟିକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି ଏବଂ ଏହି ବିବାଦୀୟ ଅଞ୍ଚଳ ଦେଇ ଯାଇଥିବା ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଦେଇ ପାକିସ୍ତାନକୁ ଏକ ରାସ୍ତା ନିର୍ମାଣ କରୁଛି । ଭାରତ ଏନେଇ ଲଗାତାର ପ୍ରତିବାଦ କରିଆସୁଛି । ଭାରତ କହୁଛି ଶକ୍ସଗାମ୍ ଘାଟିରେ କୌଣସି ବିଦେଶୀ ବେଆଇନ ନିର୍ମାଣକୁ ସହ୍ୟ କରାଯିବ ନାହିଁ । ଜାନୁଆରି ୯ ତାରିଖରେ ଭାରତ ମଧ୍ୟ ଏହି ଅଞ୍ଚଳରେ ଚୀନ୍ର ନିୟନ୍ତ୍ରଣକୁ ବେଆଇନ ଘୋଷଣା କରିଥିଲା । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ, ବିବାଦୀୟ ଅଞ୍ଚଳଟି ଚୀନ୍ର ଅଂଶ । ନିଜ ଅଞ୍ଚଳରେ ଭିତ୍ତିଭୂମି ବିକାଶ କରିବାର ଅଧିକାର ଚୀନ୍ର ଅଛି । ଏନେଇ କାହାର ପ୍ରଶ୍ନ କରିବାର ଅଧିକାର ନାହିଁ । ମାଓ ନିଙ୍ଗ୍ କହିଛନ୍ତି, ପାକିସ୍ତାନ ୧୯୪୮ ମସିହାରେ ଶାକ୍ସଗାମ୍ ଉପତ୍ୟକାକୁ ଦଖଲ କରିଥିଲା ଏବଂ ୧୯୬୩ ମସିହାରେ ଏହାକୁ ଚୀନ୍କୁ ହସ୍ତାନ୍ତର କରିଥିଲା ।
ସକାଳ ଜଳଖିଆ ଖାଇବାରେ କରୁଛନ୍ତି କି ଏହି ଭୁଲ୍ ? ବଢ଼ିପାରେ ମୋଟାପଣ, ବଗିଡ଼ିପାରେ ସ୍ୱାସ୍ଥ୍ୟ
ଚୀନ୍ ଏବଂ ପାକିସ୍ତାନ ୧୯୬୦ ଦଶକରେ ଏକ ସୀମା ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହା ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲା । ସିପିଇସି ସମ୍ପର୍କରେ ମାଓ ନିଙ୍ଗ୍ କହିଛନ୍ତି, ଏହା ଏକ ଆର୍ଥିକ ସହଯୋଗ ପ୍ରକଳ୍ପ ଯାହା ସ୍ଥାନୀୟ ଆର୍ଥିକ ଏବଂ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ଜୀବନଧାରଣର ସ୍ଥିତିକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେ ସ୍ପଷ୍ଟ କରିଛନ୍ତି, ଚୀନ୍-ପାକିସ୍ତାନ ସୀମା ଚୁକ୍ତିନାମା ଏବଂ ସିପିଇସିର କାଶ୍ମୀର ପ୍ରସଙ୍ଗରେ ଚୀନ୍ର ସ୍ଥିତି ସହିତ କୌଣସି ସମ୍ପର୍କ ନାହିଁ । କାଶ୍ମୀର ସମ୍ପର୍କରେ ଚୀନ୍ର ଆଭିମୁଖ୍ୟ ପୂର୍ବପରି ରହିଛି । ଚୀନ୍ କହୁଛି କାଶ୍ମୀର ଏକ ଐତିହାସିକ ଓ ଜଟିଳ ପ୍ରସଙ୍ଗ ଯାହାକୁ ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଉଚିତ ।
ଚୀନ୍ ଏହା ମଧ୍ୟ କହିଛି, ଆମେ ଜାତିସଂଘର ପ୍ରସ୍ତାବ ଏବଂ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମ୍ମାନ କରୁଛୁ । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଜାନୁଆରି ୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଶାକ୍ସଗାମ୍ ଉପତ୍ୟକା ଭାରତର ଅଂଶ । ସେ କହିଥିଲେ ଭାରତ କେବେ ବି ୧୯୬୩ ମସିହାର ଚୀନ୍-ପାକିସ୍ତାନ ସୀମା ଚୁକ୍ତିନାମାକୁ ସ୍ୱୀକୃତି ଦେଇନାହିଁ ଏବଂ ଏହାକୁ ବେଆଇନ ବୋଲି ଜୟସୱାଲ କହିଥିଲେ । ଭାରତ ସିପିଇସିକୁ ସ୍ୱୀକୃତି ଦିଏ ନାହିଁ କାରଣ ଏହା ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଅଧିକୃତ ଅଞ୍ଚଳ ଦେଇ ଯାଇଥାଏ । ଜମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ ପକ୍ଷରୁ ପାକିସ୍ତାନ ଏବଂ ଚୀନ୍ ଉଭୟଙ୍କୁ ବହୁବାର ସ୍ପଷ୍ଟ କରାଯାଇଛି ।
Follow Us