କନକ ବ୍ୟୁରୋ : ଡ୍ରାଗନର ନୂଆ ଚାଲାଖୀ। ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ ନିର୍ମାଣ କରୁଛି ମେଗା ଡ୍ୟାମ୍ ପ୍ରୋଜେକ୍ଟ ।୨୦୨୧ ମସିହାରେ ଚୀନ ପ୍ରିମିୟର କେକିଆଙ୍ଗ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ପରେ ୟାରଲୁଙ୍ଗ ସାଙ୍ଗପୋ ଡ୍ୟାମ୍ ନାମରେ ପରିଚିତ ଏହି ଡ୍ୟାମ୍ ପ୍ରକଳ୍ପ ଘୋଷଣା କରିଥିଲେ । ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଦିଲ୍ଲୀରେ ଏକ ସାକ୍ଷାତକାରରେ ଚୀନ୍ ଦ୍ୱାରା ୟାରଲୁଙ୍ଗ ସାଙ୍ଗପୋ ନଦୀ ଯାହା ଭାରତରେ ବ୍ରହ୍ମପୁତ୍ର ନାମରେ ଜଣା ନଦୀ ଉପରେ ନିର୍ମାଣାଧୀନ ବିଶ୍ଵର ସବୁଠାରୁ ବଡ଼ ଜଳବିଦ୍ୟୁତ ଡ୍ୟାମକୁ ଏକ ‘ ଓ୍ଵାଟର ବମ୍ବ’ ବୋଲି କହିଛନ୍ତି । ଏହି ପ୍ରୋଜେକ୍ଟ, ଯାହା ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରିବ, ଅରୁଣାଚଳ ସୀମା ନିକଟରେ ନିର୍ମାଣ ହେଉଛି । ରିପୋର୍ଟ ଅନୁଯାୟୀ, ଚୀନ୍ ୨୦୨୪ ମସିହାରେ ୧୩୭ ବିଲିୟନ୍ ଆମେରିକୀୟ ଡଲାରର ଏହି ପାଞ୍ଚବର୍ଷୀୟ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ କରିଥିଲା । ୬୦,୦୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ ଡ୍ୟାମ ହେବ କିନ୍ତୁ ଡ୍ୟାମ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ସମସ୍ୟା... ଧରାଯାଉ ବନ୍ଧ ନିର୍ମାଣ ହୁଏ ଏବଂ ଚୀନ୍ ହଠାତ୍ ପାଣି ଛାଡ଼ି ଦିଏ, ଆମର ସମଗ୍ର ସିଆଙ୍ଗ୍ ବେଲ୍ଟ ଧ୍ୱଂସ ହୋଇଯିବ ।
ବିଶେଷକରି, ସମସ୍ତ ସମ୍ପତ୍ତି, ଜମି ଏବଂ ମାନବ ଜୀବନକୁ ବିନାଶକାରୀ ପ୍ରଭାବ ଭୋଗିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଖାଣ୍ଡୁ କହିଛନ୍ତି , ଚୀନ ଡ୍ୟାମ୍ ସାମରିକ ବିପଦଠାରୁ ମଧ୍ୟ ବଡ଼ ଏକ ଜୀବନ ସଙ୍କଟମୂଳକ ବିପଦ । ଚୀନ୍ ଅନ୍ତର୍ଜାତୀୟ ଜଳ ସନ୍ଧିରେ ଚୁକ୍ତି କରି ନାହିଁ, ଯାହା ଏହି ବିପଦକୁ ଆହୁରି ବଢ଼ାଇଛି । ବିପଦ ମୁକାବିଲା ପାଇଁ ଅରୁଣାଚଳ ସରକାର କେନ୍ଦ୍ର ସହ ଆଲୋଚନା କରି ‘ସିଆଙ୍ଗ ଆପର ମଲ୍ଟିପର୍ପଜ ପ୍ରୋଜେକ୍ଟ’ ପ୍ରସ୍ତାବ କରିଛନ୍ତି, ଯାହା ଜଳ ସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ । ହେଲେ, ସ୍ଥାନୀୟ ବାସିନ୍ଦା ଏହି ପ୍ରୋଜେକ୍ଟକୁ ବିରୋଧ କରୁଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି , ଚୀନ୍ ଏହି ଡ୍ୟାମ୍ ନିର୍ମାଣ ବିଷୟରେ କୌଣସି ସୂଚନା ଦେଉନାହିଁ, ଯାହା ଅନିଶ୍ଚିତତା ବଢ଼ାଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ,ଅରୁଣାଚଳ ୧,୨୦୦ କିଲୋମିଟର ସୀମା ତିଦ୍ଧତ ସହିତ ରହିଛି, ଚୀନ୍ ସହିତ ନୁହେଁ । ତେବେ, ଚୀନର ତିଦ୍ଧତ ଉପରେ ନିୟନ୍ତ୍ରଣ ଏହି ସଙ୍କଟକୁ ଜଟିଳ କରିଛି ।
Follow Us