କନକ ବ୍ୟୁରୋ: ଆମେରିକା-ଚୀନ୍ ଶୁଳ୍କ ଲଢେଇ ପୂରା ବିଶ୍ବର ବାଣିଜ୍ୟକୁ ସଙ୍କଟ ଭିତରକୁ ଠେଲି ଦେଇଛି । ଆମେରିକା ବିରୋଧରେ ଚୀନର ପାଲଟା ୩୪% ଟାରିଫ ଘୋଷଣା ପରେ ଚିହିଁକି ଉଠିଛି ଆମେରିକା । ତୁରନ୍ତ ଏହାକୁ ପ୍ରତ୍ୟାହାର ନକଲେ ବୁଧବାରରୁ ଚୀନ୍ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏହାସତ୍ତ୍ବେ ମଧ୍ୟ ପଛଘୁଞ୍ଚା ଦେଇନି ଚୀନ୍ । ବାଣିଜ୍ୟ ଯୁଦ୍ଧ ପାଇଁ ଚୀନ୍ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି । ଦେଶର ବଡ ବଡ କମ୍ପାନି ସହ ଆଲୋଚନା କରି କିଭଳି ଆମେରିକାର ଶୁଳ୍କ ମାଡରୁ ଦେଶର ଅର୍ଥନୀତିକୁ ସୁରକ୍ଷା ଦିଆଯାଇପାରିବ ସେନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଚୀନ୍ । ଟ୍ରମ୍ପ ଭୁଲ ପରେ ଭୁଲ କରୁଛନ୍ତି । ଚୀନ୍ ଏହାକୁ ବରଦାସ୍ତ କରିବନି ବୋଲି ବାଣିଜ୍ୟ ମନ୍ତ୍ରାଳୟ କହିଛି । ତେବେ ଟ୍ରମ୍ପଙ୍କ ଶୁଳ୍କ ନିଷ୍ପତ୍ତି ଆମେରିକା ପାଇଁ ବୁମେରାଂ ହୋଇପାରେ ଏବଂ ଏହି ବାଣିଜ୍ୟ ଯୁଦ୍ଧ ଆଗକୁ ପୂରା ବିଶ୍ବକୁ ପ୍ରଭାବିତ କରିବ ବୋଲି ବଜାର ବିଶେଷଜ୍ଞ ଆଶଙ୍କା କରିଛନ୍ତି ।
ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ଗତକାଲି ବିଶ୍ବର ବିଭିନ୍ନ ସେୟାର ବଜାରରେ ଝଡ ଦେଖିବାକୁ ମିଳିଥିଲା । ନିବେଶକ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇଥିଲେ । କିନ୍ତୁ ମଙ୍ଗଳବାର ସେୟାର ବଜାର ନିବେଶକଙ୍କ ପାଇଁ ମଙ୍ଗଳ ସାବ୍ୟସ୍ତ ହୋଇଛି । ଭାରତୀୟ ସେୟାର ବଜାରର ମୁଡ୍ ବଦଳିଛି । ବଜାର କାରବାର ଶେଷ ବେଳକୁ ନିଫ୍ଟି ୩୭୪ ଓ ସେନସେକ୍ସ ୧୦୮୯ ପଏଣ୍ଟ ବୃଦ୍ଧି ପାଇଛି। ପୂରା ବିଶ୍ବ ଟ୍ରମ୍ପଙ୍କ ଶୁଳ୍କ ନୀତି ପାଇଁ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ବଜାରରେ କିଛି ମାତ୍ରାରେ ପୁଣିଥରେ ଉତ୍ସାହ ଫେରିଛି ।