କନକ ବ୍ୟୁରୋ: ସ୍ତ୍ରୀ ହତ୍ୟାକାରୀ ଜହ୍ଲାଦ ଦୀପକ ରାଉତ ଘଟଣାକୁ ପୁଲିସ ଯେତିକି ଘାଣ୍ଟୁଛି, ସେତିକି ସାଙ୍ଘାତିକ ସତ ସାମନାକୁ ଆସିବାରେ ଲାଗିଛି । ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ, ହୋଣ୍ଡା ସିଟି କାରର ଡିକି ଭିତରେ ଲୁଚାଇ ରଖିଥିଲା । ଆଉ ଗାଡ଼ିଟିକୁ କମିସନରେଟ୍ ପୁଲିସ କାର୍ଯ୍ୟାଳୟରେ ପାର୍କ କରିଥିଲା । ଖାଲି ସେତିକି ନୁହେଁ, ମୃତ ଦେହକୁ କେମିତି ଠିକଣା ଲଗାଇବ ସେଥିପାଇଁ ପ୍ରାୟ ଦୁଇ ଘଣ୍ଟା କାଳ ସିପି ଅଫିସ୍‌ରେ ବସି କରିଥିଲା ଷଡ୍‌ଯନ୍ତ୍ର । ପତ୍ନୀଙ୍କୁ ହତ୍ୟା କରିବା ପରେ ବି, ଆଦୌ ବିଚଳିତ ନଥିଲା । ବରଂ ଚାଲାଖିର ସହ କେନ୍ଦୁଝର ନେଇଯିବାକୁ ଗୋଟି ଚଳାଇଥିଲା ଚାଲ୍‌ବାଜ୍‌ । ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବାରୁ, ଏହାକୁ ରେଡ୍ ଫ୍ଲାଗ୍‌ ମାମଲା ଅନ୍ତର୍ଭୁକ୍ତ କରିଛି ପୁଲିସ ।
 
ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ, ପ୍ରଥମ ପତ୍ନୀଙ୍କ ପେଡ଼ି ଖୋଲିଛି ପୁଲିସ । ଖୁଣ୍ଟୁଣୀ ଥାନାରେ ୧୭ ମାର୍ଚ୍ଚ ୨୦୨୨ରେ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ଦୁର୍ଘଟଣାରେ ମୃତ୍ୟୁ ମାମଲା ନେଇଛି ୟୁ-ଟର୍ଣ୍ଣ । ପତ୍ନୀଙ୍କ ଦୁର୍ଘଟଣାରେ ମୃତ୍ୟୁ ମାମଲାରେ ବାରମ୍ୱାର ବୟାନ ବଦଳାଉଥିବାରୁ, ଦୀପକ ଉପରେ ପୁଲିସର ସନ୍ଦେହ ବଢ଼ୁଛି । ଆଉ ସେ ହିଁ ପ୍ରଥମ ସ୍ତ୍ରୀଙ୍କୁ ଷଡ୍‌ଯନ୍ତ୍ର କରି ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି । ମୃତ ଅପର୍ଣ୍ଣାଙ୍କ ଭଉଣୀ ମଧ୍ୟ ଖୁଣ୍ଟୁଣୀ ଥାନାରେ ପହଞ୍ଚି ହତ୍ୟା ମାମଲା କରିଛନ୍ତି । 
ପୁଲିସ ପୋଷାକର ଖୋଳପା ପିନ୍ଧି ସବୁ ପାପ ଲୁଚାଇବାକୁ ଚେଷ୍ଟା କରିଥିଲା ଚାଲବାଜ ଦୀପକ । ଢୋଲ ଭିତରେ ମୂଷା ଭଳି କମିସନରେଟ୍ ପୁଲିସ କାର୍ଯାଳୟରେ ଲୁଚି ରହିଥିଲା । ଶୁଭମିତ୍ରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇ ନଥିଲେ, ହୁଏତ ସିରିଏଲ କିଲରର ସତ ସାମନାକୁ ଆସିନଥାନ୍ତା ।  

Advertisment