କନକ ବ୍ୟୁରୋ : ପ୍ରଦୂଷିତ ହେଉଛି ଚିଲିକା । ପୋତି ହୋଇଗଲାଣି ଏହି ପ୍ରାକୃତିକ ହ୍ରଦ । ଓଡ଼ିଶାର ଗର୍ବ ଚିଲିକାକୁ ଧୀରେ ଧୀରେ ଅସୁସ୍ଥ ହୋଇପଡୁଛି । ଦୁର୍ଭାଗ୍ୟର ବିଷୟ ସମସ୍ତେ ଏଥିପ୍ରତି ଆଖି ବୁଜି ଦେଇଛନ୍ତି । ଚିଲିକାର ଇକୋ ସିଷ୍ଟମ ଉପରେ ବଡ଼ ପ୍ରଭାବ ପକାଉଛି ବେଆଇନ ଘେରି । ମାଛ ଚାଷ ପାଇଁ ପ୍ରସ୍ତୁତ ଏହି ଘେରି ଆଇନସମତଃ ନୁହେଁ ବୋଲି ଉଭୟ ହାଇକୋର୍ଟ ଓ ଏନଜିଟି ବାରମ୍ବାର କହିଛନ୍ତି । ହେଲେ ପ୍ରଶାସନ ଓ ମାଫିଆଙ୍କ ନେକ୍ସସ ଯୋଗୁ ଏ ଘେରି ଉଚ୍ଛେଦ ହେଉନାହିଁ । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଚିଲିକା ହ୍ରଦକୁ ମାରିଦେବାକୁ ବସିଛି ଚିଙ୍ଗୁଡ଼ି ଘେରି । ତଥାପି ଘେରି ଭାଙ୍ଗିବାକୁ କେଉଁ ଅଦୃଶ୍ୟ ହାତ ପ୍ରଶାସନକୁ ବାନ୍ଧି ରଖିଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ମଝିରେ ମଝିରେ ଲୋକ ଦେଖାଣିଆ ଭାବେ ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ ହୁଏ । କିନ୍ତୁ ପୁଣି ଘେରି ବାନ୍ଧନ୍ତି ମାଫିଆ । ନେତା, ପ୍ରଶାସନ ଓ ମାଫିଆଙ୍କ ମଧୁଚନ୍ଦ୍ରିକା ଏହା ପଛର ବଡ଼ କାରଣ ବୋଲି କୁହାଯାଉଛି । ଚିଲିକାର ସୁରକ୍ଷା ପାଇଁ ବହୁବାର ଆନ୍ଦୋଳନ ହୋଇଛି । ମାମଲା ଅଦାଲତ ଯାଏଁ ଯାଇଛି ହେଲେ ଫଳ ଶୂନ। ଯାହାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହେବା ଆରମ୍ଭ ହୋଇଛି ।