କନକବ୍ୟୁରୋ : ଚିଲିକା କଥା ମନକୁ ଆସିବା ମାତ୍ରେ ମନେପଡ଼େ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଏହି କବିତା । ରାମସାର ସାଇଟର ମାନ୍ୟତା ପାଇଥିବା ଚିଲିକା ଯୁଗଯୁଗରୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ନିଜର ଜୈବ ବିଭିଧତା ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ଯ୍ୟଟକ ନିଜ ପାଖରେ ବାନ୍ଧି ରଖିଛି। କିନ୍ତୁ ସେହି ଚିଲିକା ଏବେ ବିପଦ ମୁହାଁ ।
ପ୍ରକୃତିର ଅବଦାନ କୁହାଯାଉଥିବା ଚିଲିକାକୁ ଭୟଭିତ କରାଉଛି ବର୍ଦ୍ଧିତ ପ୍ରଦୂଷଣ ମାତ୍ରା। ଚିଲିକା ଜଳରାଶିର ମୁଖ୍ୟ ଉତ୍ସ କୁହାଯାଉଥିବା ଚାରୋଟି ମୁହାଣ ଏବେ ସମ୍ପୁର୍ଣ୍ଣ ପୋତି ହୋଇଗଲାଣି। ଯାହାର ପରିଣାମ ସ୍ବରୂପ, ଏଠାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ମାଛ, ଚିଙ୍ଗୁଡି ଆଉ କଙ୍କଡା ହଜିଯିବାକୁ ବସିଲେଣି ।
ଚିଲିକାରେ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ବେଆଇନ ମାଛ ଧରା ଆଉ ଚିଙ୍ଗୁଡି ଘେରି । ମାଛ ଧରା ପାଇଁ ନିଷେଧ କରାଯଇଥିବା ଜାଲକୁ ବ୍ୟବହାର କରି ମାଛ ଧରୁଛନ୍ତି ମତ୍ସ୍ୟଜୀବ । ସେହି ଜାଲ ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି ଅନେକ ଜଳଜୀବ ପ୍ରଜାତି। କୁଣ୍ଡଳ, ବାହାଲ, ସୁକୁରା, ଜଳଙ୍ଗ, ଆମିଶୀଆ ଚେଙ୍ଗା, ଖଇଁଙ୍ଗା, ସେବି, ଭେକ୍ଟି ଭଳି ପ୍ରଜାତିର ମାଛ ଆଉ ଆଗଭଳି ମିଳୁନାହା ନ୍ତି ।
ଯାହାର ପ୍ରଭାବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଚିଲିକା ଉପରେ ନିର୍ଭର କରି ପେଟ ପୋଶୁଥିବା ଲୋକଙ୍କ ଉପରେ ପଡୁଛି । ଓଡ଼ିଶାର ୩ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ସୀମାକୁ ଲାଗି ରହିଛି ଚିଲିକା। ଏବେ ଚିଲିକାକୁ ସଂଯୋଗ କରୁଥିବା ନଦୀ ନାଳ ଗୁଡ଼ିକ ପୋତି ହୋଇଯିବା ଫଳେରେ ଚିଲିକାକୁ ଜଳ ପ୍ରବାହ କମୁଛି। ଫଳରେ ୩୨୦ ପ୍ରଜାତିର ମାଛ, ୨୮ ପ୍ରଜାତିର ଚିଙ୍ଗୁଡି, ୩୫ ପ୍ରଜାତିର କଙ୍କଡ଼ା ଆଉ ଦେଖିବାକୁ ମିଳୁନାହିଁ। ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପରିବେଶବିତ୍। ସର୍ବବୃହତ ଲୁଣା ହ୍ରଦର ମୁହାଣ ପୋତି ହେବା ପରିବେଶ ପାଇଁ ବଡ଼ ସଙ୍କଟ ଆଣିପାରେ। ଖାଦ୍ୟ ଶୃଙ୍ଖଳକୁ ପ୍ରଭାବିତ କରିବା ପୂର୍ବରୁ ପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ ତ୍ୱରିତ୍ ପଦକ୍ଷେପ ନେବା ଉଚିତ।