କନକ ବ୍ୟୁରୋ: ଶିଶୁ ଓ ସାହିତ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଶିଶୁ ଜନ୍ମ ନେଲା ପରେ ମା’ଠାରୁ କଥା କହି ଶିଖେ । ସେହି କଥା ବା ଭାଷାରୁ ସୃଷ୍ଟି ହୁଏ ସାହିତ୍ୟ । ସବୁ ବିଭାଗ ଭିତରେ ଶ୍ରେଷ୍ଠ ଶିଶୁସାହିତ୍ୟ । ଶିଶୁ ସାହିତ୍ୟକୁ ସାହିତ୍ୟର ପ୍ରଥମ ସ୍ଥାନ ଦିଆଯାଇଥିଲେ ମଧ୍ୟ ଶିଶୁ ସାହିତ୍ୟିକମାନଙ୍କୁ ଅଧା ସାହିତ୍ୟିକ ବୋଲି ବିବେଚନା କରିବା ଉଚିତ ନୁହେଁ । ଆଜି ମଧ୍ୟ ଜାତୀୟସ୍ତରରେ ଶିଶୁ ସାହିତ୍ୟ ସମ୍ମାନ ପାଇପାରିନାହିଁ। କେନ୍ଦ୍ର ସାହିତ୍ୟ ଏକାଡେମୀ ଶିଶୁ ସାହିତ୍ୟକୁ ସ୍ବୀକୃତି ପ୍ରଦାନ କରିଛି । କିନ୍ତୁ ପୁରସ୍କାର ପ୍ରଦାନ କ୍ଷେତ୍ରରେ ମଧ୍ୟ ଅଧା । ସାହିତ୍ୟ ଭିତରେ ଏପରି ବିଭାଜନ କାହିଁକି ? ମଙ୍ଗଳବାର ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟପକ୍ଷ’ର ଦ୍ବାଦଶ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟ ।
ପିଲାଦିନକୁ ଝୁରିଲେ ଦର୍ଶକ
ଗୀତ ଗାଇଲେ ମହାପ୍ରସାଦ ଓ ଦୀପ୍ତିରେଖା
ନାମ ସଂକୀର୍ତ୍ତନରେ ସୃଷ୍ଟି ହେଲା ଆଧ୍ୟାତ୍ମିକ ପରିବେଶ
ମଞ୍ଚସ୍ଥ ହେଲା କ୍ଷୁଦ୍ରନାଟକ ‘ହୋଲିକା ଦହନ’
‘ଆହେ ଦୟାମୟ ବିଶ୍ବବିହାରୀ’ର ଲେଖକ ତଥା ଅଗ୍ରଣୀ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କୁ ଉତ୍ସର୍ଗ ହୋଇଥିଲା ‘ଶିଶୁ ସାହିତ୍ୟ ଓ ଆଧ୍ୟାତ୍ମିକ’ ମଞ୍ଚ । ‘ଶିଶୁମାନଙ୍କଠାରୁ ଦୂରେଇ ଯାଉଛି କି ଶିଶୁ ସାହିତ୍ୟ?’ ପ୍ରସଙ୍ଗରେ ବିଶିଷ୍ଟ ଶିଶୁ ସାହିତ୍ୟିକ ସ୍ବରାଜ ମିଶ୍ର ଓ ନରେନ୍ଦ୍ର ପ୍ରସାଦ ଦାଶ ‘ଆଳାପ’ କରିଥିଲେ । ସାହିତ୍ୟ ଶିଶୁଙ୍କଠାରୁ ଦୂରେଇ ଯାଇ ପାରିବ ନାହିଁ। ଯେଉଁ ଦେଶର ଶିଶୁ ସାହିତ୍ୟ ଯେତେ ଉଚ୍ଚକୋଟୀର ସେ ଦେଶ ସେତେ ସମୃଦ୍ଧ ବୋଲି ଶ୍ରୀ ଦାଶ କହିଥିଲେ । ମନ୍ତ୍ରୀ, ଅଧିକାରୀ, ଲେଖକ, ପ୍ରକାଶଙ୍କ ଅଙ୍ଗୀକାରବଦ୍ଧତା ଶିଶୁ ସାହିତ୍ୟକୁ ଆଗକୁ ନେଇ ପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ‘ଅଭିଯୁକ୍ତି’ ପ୍ରଦାନ କରି ବିଶିଷ୍ଟ ଶିଶୁ ସାହିତ୍ୟିକ ନୀଳମଣି ଚାନ୍ଦ ଓ ଡ. ରାଜକିଶୋର ପାଢ଼ୀ ‘ସମ୍ବାଦ’ ହିଁ ଏଭଳି ଅଭିନବ ପରିକଳ୍ପନା କରିପାରେ ବୋଲି କହିଥିଲେ । ଡ. ସୁନାମଣି ରାଉତ କହିଲେ, ବାଲିଯାତ୍ରା ୭ ଦିନ, ରଥଯାତ୍ରା ୯ ଦିନ, ଧନୁଯାତ୍ରା ୧୧ଦିନ ହୁଏ । ହେଲେ ‘ସମ୍ବାଦ ସାହିତ୍ୟପକ୍ଷ’ର ୧୫ଦିନିଆ ଯାତ୍ରା ଓଡ଼ିଆ ଭାଷା, ସାହିତ୍ୟରେ ପ୍ରାଣ ଭରିଛି । ବକ୍ତବ୍ୟ ପରେ ଏହି ତିନି ଜଣ ଶିଶୁ ସାହିତ୍ୟିକ ସ୍ବରଚିତ କବିତା ପାଠ କରିଥିଲେ । ପଣ୍ଡିତ ନୀରଦ ଆର୍ଯ୍ୟଙ୍କ ସଂଚାଳନରେ ଅନୁଷ୍ଠିତ ‘ଆଲୋଚନା’ ଅଧିବେଶନରେ ତିନି ଜଣ ଆଧ୍ୟାତ୍ମିକ ପ୍ରବକ୍ତା ଓ ଗବେଷକ ବୀରେନ୍ଦ୍ର କୁମାର ପଣ୍ଡା, ପୀତବାସ ରାଉତରାୟ ଓ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇ ‘ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକ ସାହିତ୍ୟ ପଠନ ଜରୁରି କି’ ବିଷୟ ଉପରେ ମତବ୍ୟକ୍ତ କରିଥିଲେ । ଯୁବ ଗୀତିକାର ରାମକୃଷ୍ଣ ବାରିକ ଭକ୍ତିଗୀତ ‘ଜଗା ତୁ ଯାଦୁକର’ ଲେଖିବାର ଅନୁଭୂତି ବର୍ଣ୍ଣନା କରିଥିଲେ ।
ଅନ୍ୟଦିନଗୁଡ଼ିକ ଅପେକ୍ଷା ଆଜି ସନ୍ଧ୍ୟା ଥିଲା ସମ୍ପୂର୍ଣ୍ଣ ନିଆରା । ସାଇ ଆଶୁତୋଷ, କ୍ଷିତି, ଜ୍ୟୋତି, ରୁଦ୍ର, ଅଭିଜ୍ଞା, ଆଦ୍ୟବୀର, ଭୂମିକା ଓ ସମ୍ପର୍କଙ୍କ ଭଳି କୁନି କୁନି ପିଲାମାନେ ‘ଉଦୁ ଉଦୁମା ତାଳ ଗୋଟମା’, ‘ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି’, ‘ଚକା ଚକା ଭଉଁରୀ’, ‘କାତ ଧରି ଧୀରେ ନାଉରୀ’ ଓ ‘ଆ ଜହ୍ନ ମାମୁଁ ସରଗ ଶଶି’ ଭଳି ଗୀତ ଗାଇ କିଛି ସମୟ ପାଇଁ ଉପସ୍ଥିତ ଦର୍ଶକଙ୍କ ପିଲାଦିନକୁ ଫେରାଇ ନେଇଥିଲେ । କଣ୍ଠଶିଳ୍ପୀ ମହାପ୍ରସାଦ କର ଓ ଦୀପ୍ତିରେଖା ପାଢ଼ୀ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ‘ଖୁସି ବସେରା’ର ପିଲାମାନଙ୍କ ଦ୍ବାରା ଏବଂ ଦେବାନନ୍ଦ ନାୟକଙ୍କ ନିର୍ଦ୍ଦେଶନାରେ କ୍ଷୁଦ୍ର ନାଟକ ‘ହୋଲିକା ଦହନ’ ପରିବେଷିତ ହୋଇଥିଲା । ଦୋଳପର୍ବର ଆଗମନରେ ବାଙ୍କୀ ତୁଳସୀପୁରର ‘କୁଞ୍ଜବିହାରୀ ଦେବ ସଂକୀର୍ତ୍ତନ ମଣ୍ଡଳୀ’ ନାମ ସଂକୀର୍ତ୍ତନ କରିଥିଲେ ।
ଏହି ଅବସରରେ ‘ସାହିତ୍ୟପକ୍ଷ’ ଗୀତର ଗୀତିକାର ଗୁରୁ ଶତପଥୀ, ସଙ୍ଗୀତ ନିର୍ଦ୍ଦେଶକ ସୌମିତ୍ରୀ ପଲେଇ, ‘ଓଡ଼ିଶା ବୁକ୍ ଏମ୍ପୋରିୟମ୍’ର ଶିବାଶିଷ କର, ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ, ‘ଧର୍ମଗ୍ରନ୍ଥ ଷ୍ଟୋର’ର ଅମୀୟ ପ୍ରସାଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ‘କନକ ନ୍ୟୁଜ୍’ର ସିଇଓ ରତିକାନ୍ତ ଶତପଥୀ, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଓ ଡେପୁଟି ଏଡିଟର ଧୃତିକାମ ମହାନ୍ତି ଅତିଥିଙ୍କୁ ସମ୍ମାନିତ କରିଥିଲେ । ଆର୍ଜେ ଅନୀଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସାମ୍ବାଦିକା ବନ୍ଦନା ମିଶ୍ର ଧନ୍ୟବାଦ ଦେଇଥିଲେ ।