କନକବ୍ୟୁରୋ : ୫୦ ବର୍ଷର ପୁରାତନ ବିଦ୍ୟାଳୟ। ବିକାଶଠୁ ବହୁ ଦୂରରେ। ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ପାନୀୟ ଜଳର ବଡ଼ ସମସ୍ୟା ।  ଅସରାଏ ବର୍ଷା ହେଲେ ବିଦ୍ୟାଳୟର ଅବସ୍ଥା ନକହିଲେ ଭଲ ।   ଆଣ୍ଠୁଏ କାଦୁଅରେ ପଶି ବିଦ୍ୟାଳୟକୁ ଯା'ଆସ କରୁଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ  । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରୁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ  ।

Advertisment

 ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗାଁର ଅଲେଖ ସୁନ୍ଦରୀ ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । କାଦୁଅ ପଚପଚ ବିଦ୍ୟାଳୟ ପରିସର । ପାଣି ଜମୁଛି। ଶୌଚାଳୟ ବି ପାଣିରେ ବୁଡ଼ି ଯାଉଛି  । ପାଠ ପଢ଼ିବା ପାଇଁ ଆଣ୍ଠୁଏ କାଦୁଅରେ ପଶି ଯିବା ଆସିବା କରୁଛନ୍ତି କୁନିକୁନି ପିଲା । 
ବିଦ୍ୟାଳୟ ବାହାର ନୁହେଁ, ଶ୍ରେଣୀ ଗୃହ ଭିତର ଅବସ୍ଥା ବି ଅତ୍ୟନ୍ତ ସାଂଘାତିକ । ଏଠି ପାଦେ ପାଦେ ବିପଦ । କାନ୍ଥ ଫାଟିଗଲାଣି  ।

ଭଙ୍ଗାରୁଜା ଅବସ୍ଥାରେ କବାଟ ଝରକା  । ଛାତରୁ କଂକ୍ରିଟ୍‌ ସ୍ଲାବ୍‌ ଖସୁଛି । ଆଉ ବିପଦ ସଙ୍କୁଳ ଅବସ୍ଥାରେ ସେଇଠି ଚାଲିଛି ପାଠପଢ଼ା ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ୫୦ ବର୍ଷର ପୁରୁଣା ବିଦ୍ୟାଳୟକୁ ଛୁଇଁନାହିଁ ବିକାଶ ।  ଅନ୍ଧାରୁଆ ଭଙ୍ଗା ଆଜବେଷ୍ଟସ୍‌ ଘରେ ମଧ୍ୟାହ୍ନଭୋଜନ ରୋଷେଇ ହେଉଛି । ସ୍କୁଲ ହତାରେ ଥିବା ନଳକୂପଟି ଦୀର୍ଘ ଦିନ ହେବ ଅଚଳ । ତେଣୁ ପାଣି ସମସ୍ୟା କାହିଁରେ କେତେ।  ୮ଟି ଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ତେଣୁ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।