କନକ ବ୍ୟୁରୋ : ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଦ୍ୱାରା ଅନେକ ଯୋଜନା ଚାଲିଛି, କିନ୍ତୁ ଦେଶରେ କିଛି ସ୍କୁଲ ଏବେବି ଅଛି ଯେଉଁଠାରେ ପିଲାମାନଙ୍କ ପାଇଁ ଛାତ ନାହିଁ । ଖୋଲା ଆକାଶ ତଳେ ସ୍କୁଲ ଚାଲିଛି । ଶହ ଶହ ଛାତ୍ରଛାତ୍ରୀଙ୍କୁ ଧରି ଗଛ ତଳେ ପାଠ ପଢ଼ାଉଛନ୍ତି ଶିକ୍ଷକ । ବିଦ୍ୟାଳୟଟି ହେଉଛି ବିହାରର , ୨୦୦୬ ମସିହାରେ ଆରମ୍ଭ ହୋଇଥିଲା ଏହି ସ୍କୁଲ । କିନ୍ତୁ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏବେ ବି ସ୍କୁଲ କୋଠା ପାଇଁ ଅପେକ୍ଷା କରିଛନ୍ତି । ଆଜି ବି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠପଢ଼ାଯାଏ ।
ବିହାରର ଶିକ୍ଷା ବ୍ୟବସ୍ଥାର ଏହା ଏକ ଦୁଃଖଦ ଖବର । ଯେଉଁଠାରେ ୧୮୪ ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଶିକ୍ଷକମାନେ ଗତ ୨୦ ବର୍ଷ ଧରି ଖୋଲା ଆକାଶ ତଳେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି । ଏହି ବିଦ୍ୟାଳୟ ପାଇଁ କୌଣସି ନିର୍ଦ୍ଦିଷ୍ଟ କୋଠା ନାହିଁ । ବର୍ଷା, ଖରା କିମ୍ବା ଶୀତ, ଯେକୌଣସି ପାଗରେ ବିଦ୍ୟାଳୟ ବାହାରେ ହିଁ ଚାଲିଥାଏ, ଯାହା ଶିକ୍ଷାଦାନ ତଥା ଶିକ୍ଷାଗ୍ରହଣ ଉଭୟକୁ ପ୍ରଭାବିତ କରୁଛି ।
ଏଭଳି ପରିସ୍ଥିତିରେ ପିଲାମାନେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ବର୍ଷା ହେଲେ ପାଠପଢ଼ା ବନ୍ଦ ହୋଇଯାଏ, କାରଣ ବସିବା ପାଇଁ ସ୍ଥାନ ନଥାଏ । ଖରା ଦିନେ ତୀବ୍ର ଉତ୍ତାପ ଯୋଗୁଁ ପିଲାମାନେ ଅସୁସ୍ଥ ହୋଇପଡ଼ନ୍ତି । ଶୀତ ଦିନେ ଥଣ୍ଡା ପବନରେ ପାଠ ପଢ଼ିବା କଷ୍ଟକର ହୋଇପଡ଼େ । ଶିକ୍ଷକମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଖରେ କୌଣସି ସ୍ଥାୟୀ ଭିତ୍ତିଭୂମି ନଥିବାରୁ ପାଠ୍ୟକ୍ରମ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।
ସ୍ଥାନୀୟ ପ୍ରଶାସନ ଏବଂ ଶିକ୍ଷା ବିଭାଗର ଏହି ବିଦ୍ୟାଳୟ ପ୍ରତି ଉଦାସୀନତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ୨୦ ବର୍ଷ ଧରି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ଧ୍ୟାନ ନଦେବା ସରକାରଙ୍କ ଶିକ୍ଷା ପ୍ରତି ଅବହେଳାକୁ ସ୍ପଷ୍ଟ କରୁଛି । ଏହା କେବଳ ପିଲାମାନଙ୍କର ଶିକ୍ଷା ଅଧିକାରକୁ ଉଲ୍ଲଂଘନ କରୁନାହିଁ, ବରଂ ସେମାନଙ୍କର ଭବିଷ୍ୟତକୁ ମଧ୍ୟ ଅନ୍ଧକାରମୟ କରୁଛି । ଏହି ସମସ୍ୟାର ଶୀଘ୍ର ସମାଧାନ ଆଜି ବି ଅଭିଭାବକ ଏବଂ ଶିକ୍ଷକମାନେ ଚାହି ବସିଛନ୍ତି ।