କନକ ବ୍ୟୁରୋ : ମୋ ପୁଅ ବଡ଼ ହେବ । ପାଠ ପଢ଼ିବ, ଭଲ ମଣିଷଟିଏ ହେବ । ଚାକିରି କରିବ । ବାପାଙ୍କ ବୋଝ ହାଲୁକା କରିବ । ପରିବାରର ଦାୟିତ୍ୱ ନେବ । ଏମିତି କେତେ ସ୍ବପ୍ନ ଦେଖିଥିଲେ ବାପା-ମା’। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପୁଅର ବୟସ ବଢ଼ିଲା, ହେଲେ ସେ ଅନ୍ୟ ପିଲାଙ୍କ ପରି କଥା କହିଲାନି କି ଉଠିବସି ପାରିଲାନି । ୯ ବର୍ଷ ହେଲାଣି ବିଛଣାରେ ପଡ଼ିଛି ଗଞ୍ଜାମ ଧରାକୋଟ ବ୍ଲକ ଜଗନ୍ନାଥପୁର ଶାସନର ସାଇରାମ ପ୍ରଧାନ । 

Advertisment

୩ ବର୍ଷୀୟ ସାନ ଭଉଣୀ, ଭାଇ ପାଖରେ ବସି ଆଉଁଷି ଦେଉଛି । ତା' ସାଥିରେ ଖେଳିବାକୁ ଡାକୁଛି । ସେ ବି କେମିତି ଜାଣିବ ବିଛଣାରୁ ଉଠିବାକୁ ଭାଇର ବଳ ନାହିଁ । ପୁଅର ଚିକିତ୍ସା ପାଇଁ ବାପା ମା’ ଜମିବାଡ଼ି, ସୁନା ଗହଣା ବନ୍ଧା ପକାଇ ମୁମ୍ବାଇ ନେଇଥିଲେ । ହେଲେ କିଛି ଲାଭ ହେଲାନି । ପୁଅର ଔଷଧ ଖର୍ଚ୍ଚ ତୁଲାଇବା ଗରିବ ପରିବାରରେ ସମ୍ଭବ ହେଉନାହିଁ ।  

ସରକାରୀ ସହାୟତା କହିଲେ ମାସକୁ ୧୨ଶହ ଟଙ୍କା ଭତ୍ତା ମିଳୁଛି । ତାକୁ ଛାଡ଼ିଦେଲେ ଏ ଅଭାବୀ ପରିବାରକୁ ଏଯାଏଁ ରାସନ କାର୍ଡ ଖଣ୍ଡେ ବି ମିଳିନି । ଅର୍ଥାଭାବ ଓ ପୁଅର ଯନ୍ତ୍ରଣା ଦେଖି ଛଟପଟ ହେଉଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ  ନିବେଦନ କରିଛନ୍ତି ଗାଁ ଲୋକ ।