କନକ ବ୍ୟୁରୋ: ଆଜିକାଲି କେତେକ ପିଲାଙ୍କ ଓଜନ ତାଙ୍କ ବୟସଠାରୁ ଅଧିକ ଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହା ସେମାନଙ୍କ ଜୀବନକୁ ଦୁର୍ବିସହ କରିପାରେ, ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଏମ୍ସ ।

Advertisment

ଆଜିକାର ଅସନ୍ତୁଳିତ ଜୀବନଶୈଳୀ ଓ ବଜାରର ଜଙ୍ଗ ଫୁଡ୍ , ଫାଷ୍ଟ ଫୁଡ୍ , ଏସବୁ କାରଣରୁ ପିଲାଙ୍କଠାରେ ମୋଟାପଣ ଦେଖିବାକୁ ମିଳୁଛି । ଭାରତରେ ଶୈଶବରେ ହିଁ ମେଦବହୁଳତା ସମସ୍ୟା ଦେଖିବାକୁ ମିଳୁଛି , ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ବୋଲି ଏମ୍ସର ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।  ରିପୋର୍ଟ ମୁତାବକ, ଗାଁ ଅପେକ୍ଷା ସହରରେ ଅଧିକାଂଶ ପିଲାଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି । ସହରର ୫ରୁ ୧୫ ପ୍ରତିଶତ ପିଲାଙ୍କଠାରେ ମୋଟାପଣ ଦେଖାଯାଉଛି । ଏଭଳି ହେବାରୁ ସେମାନଙ୍କ ଶରୀରର ଚଞ୍ଚଳତା କମୁଛି  ଏବଂ ଡାଏବେଟିସ୍, ହୃଦଘାତ, ଉଚ୍ଚ ରକ୍ତଚାପ, ଆଣ୍ଠୁ ଜନିତ  ସମସ୍ୟା ଦେଖିବାକୁ ମିଳୁଛି । ଯଦି ଖୁବ୍ ଶୀଘ୍ର ସେମାନଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀରେ ପରିବର୍ତ୍ତନ କରାନଯାଏ ତେବେ ଏସବୁ ସମସ୍ୟା ତାଙ୍କ ଜୀବନ ସାରା ଲାଗି ରହି ସେମାନଙ୍କ ପାଇଁ ଅସହ୍ୟ କଷ୍ଟର କାରଣ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ତେଣୁ ପିଲାଙ୍କଠାରେ ମେଦବହୁଳତା ପରି ସସମ୍ୟାର ନିରାକରଣ କେବଳ ବାପା, ମାଆ ନୁହନ୍ତି ବରଂ ସ୍କୁଲର ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ଏକ ଦାୟିତ୍ବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । 

ପିଲାଙ୍କଠାରେ ଡାଏବେଟିସ୍ ବା ମଧୁମେହ ମେଦବହୁଳତା କାରଣରୁ  ମୁଖ୍ୟତଃ ହୋଇଥାଏ । ଏବଂ ଏହି ସମସ୍ୟା ଅନ୍ୟ ରୋଗକୁ ନିମନ୍ତ୍ରଣ କରେ ।  ଡାକ୍ତରଙ୍କ କହିବା ଅନୁସାରେ, ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ ପାଇଁ ମଧୁମେହ ଅଧିକ ବିପଜ୍ଜନକ ହୋଇପାରେ । ତେଣୁ ସେମାନଙ୍କ ଯତ୍ନ ନେବା ନିହାତି ଆବଶ୍ୟକ । ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ବୟସ ବଢ଼ିବା ସହିତ ସମସ୍ୟା ବଢିବ । ଫଳରେ ପିଲାମାନଙ୍କର କିଡନି ଓ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ । ସେଥିପାଇଁ ଲକ୍ଷଣ ଚିହ୍ନଟ କରାଯାଇ ସଠିକ୍ ସମୟରେ ଚିକିତ୍ସା କରାଯିବା ନିହାତି ଜରୁରି ।