କନକ ବ୍ୟୁରୋ: ଚାଖଣ୍ଡେ ପେଟ ସିନା ହେଲେ ମଣିଷକୁ କ’ଣ କ’ଣ ନକରାଏ ଏ ପେଟ ଚାଖଣ୍ଡକ । ଜୀବନଟା ଥିବାଯାଏଁ କେତେ ନାଟ କରିବାକୁ ବାଧ୍ୟ କରେ ଏ ପେଟ । ମଣିଷର ମୁହଁରୁ ହସ ଛଡାଇ ନିଏ । ଶିଶୁଠାରୁ ତା ଶୈଶବ ଛଡାଇନିଏ । ଯାହା ଜଳ ଜଳ ହୋଇ ଏଇଠି ଦେଖିବାକୁ ମିଳିଛି।
ଏ ପିଲା ଦୁଇଟିଙ୍କୁ ଦେଖୁଛନ୍ତି, ବୟସ ୧୦ , ୧୧ ହେବ । ପେଟ ପାଇଁ ମହାରାଷ୍ଟ୍ର ନାସିକରୁ ଓଡିଶାକୁ ଚାଲିଆସିଛନ୍ତି । ଯେଉଁ ବୟସରେ ହସିଖେଳି ପାଠପଢି ପିଲାଦିନଟାକୁ ମଉଜରେ ବଞ୍ଚିଯିବା କଥା, ସେ ବୟସରେ କାନ୍ଧରେ ଦାୟିତ୍ବର ବୋଝ । ଖେଳକୁଦ ସବୁ ଯେମିତି ଏମାନଙ୍କୁ ମନା । ସକାଳ ହେଲେ ଦେହରେ ମଇଳା କୋତରା ସାର୍ଟ ପ୍ୟାଣ୍ଟ ହଳେ ଗଳାଇଦେଇ, କାନ୍ଧରେ ବ୍ୟାଗ ଦିଟା ପକାଇ ବାହାରିପଡନ୍ତି । ଆଉ କାମ ଖୋଜିବୁଲନ୍ତି । କେଉଁଠି ଗୋଟେ ଦିଟା କାମ ମିଳିଗଲେ ଦି ପଇସା ମିଳିବ , ଘରେ ଚୁଲି ଜଳିବ, ପେଟରେ ଦାନା ପଡିବ। ତେଣୁ ଗଳି ଗଳି ଘୁରି ବୁଲନ୍ତି ଏ ଦୁଇ ଭାଇ।
କାମ କ’ଣ... ସଟର ଗ୍ରୀଜିଙ୍ଗ କରିବା । ଯେଉଁ କୁନି କୁନି ହାତ କଲମ ଧରି ପାଠ ଲେଖିଯିବା କଥା, ସେ ହାତ ଗ୍ରୀଜରେ କଳା ପଡିଯାଇଛି । ଏଡିକି ବକେଟ ଛୁଆ ସିନା କିନ୍ତୁ କାମରେ ପୁରା ପରଫେକ୍ଟ। ହେଲେ ଲୋକଙ୍କ ଆଖିକୁ ଦେଖାଯାଆନ୍ତିନି ବୋଲି କିଛି ଲୋକ ତାଙ୍କୁ ଥଟ୍ଟା କରୁଥିବାବେଳେ ଆଉ କିଛି ଦୋକନୀ ତାଙ୍କୁ କାମ ଦେଇଥାନ୍ତି। ଆଉ ଦୁଇ ଭାଇଯାକ ମନଧ୍ୟାନ ଦେଇ ସଟର ଗୁଡା ଗ୍ରୀଜିଙ୍ଗ କରିଦିଅନ୍ତି । ସିଢିରେ ହାତ ନପାଇଲେ ଜଣେ ଆଉ ଜଣଙ୍କ କାନ୍ଧରେ ଚଢି ସଟର ଗ୍ରୀଜିଙ୍ଗ କରନ୍ତି । ଦୁହିଁଙ୍କୁ ଦେଖିଲେ ଲାଗେ ଦୁହେଁ ଯେମିତି କାମକୁ ଗେମ୍ ଭଳି ଉପଭୋଗ କରୁଛନ୍ତି ଆଉ କାମକୁ ପୁରା ନିଖୁଣ ଭାବେ କରିବାକୁ ବି ପଣ କରିଛନ୍ତି ।
ଘରର ମୁରବୀ ଚାଲିଗଲା ପରେ ପେଟପାଟଣା ପାଇଁ ପରିବାର ଦୂର ନାସିକରୁ ଓଡିଶାରେ ଆସି ପହଞ୍ଚିଲେ । ଏବେ ସମ୍ବଲପୁର କୁଚିଣ୍ଡାର ଖେଳପଡିଆରେ ତାଙ୍କ ପରିବାର ତମ୍ବୁ ମାରି ରହୁଛନ୍ତି । ବାପା, ମା’ ବୁଲି ବୁଲି ସର୍କସ ଦେଖାଇ ଦି ପଇସା ରୋଜଗାର କରୁଥିବାବେଳେ ରମଜାନ ଓ ଆସିଫ ବୁଲି ବୁଲି ସଟର ଗ୍ରୀଜ୍ କରୁଛନ୍ତି । ସବୁଠୁ ବଡ କଥା ହେଉଛି, ଆଜିକାଲି ଟଙ୍କା ରୋଜଗାର କରିବାକୁ ବୁଝିବାସୁଝିବା ଲୋକଗୁଡା ଲୁଟପାଟ , ହଣାମରା କରୁଥିବାବେଳେ ଏ ପିଲା ଦୁଇଟି ପରିଶ୍ରମ କରି ରୋଜଗାର କରୁଛନ୍ତି । ଆଉ ଏ କଷ୍ଟ ତାଙ୍କୁ ସ୍କୁଲର ପାଠପଢା ନୁହେଁ ବରଂ ଜୀବନର ପାଠ ପଢାଉଛି । ଏଇ ବେଳୁ ଏମାନେ ବଞ୍ଚିବାର ବାଟ ଖୋଜିବା ସହ ଜୀବନର ମାନେ ହୁଏତ ବୁଝିଲେଣି।
ଦୁହିଁଙ୍କୁ ଦେଖିବା ପରେ ମନକୁ ଅନେକ କିଛି ପ୍ରଶ୍ନ ଆସେ । ଜୀବନ କାହା ପାଇଁ କେମିତି, କାହାପାଇଁ ଜୀବନର ମାନେ ପଢି ବଡ ଚାକିରି କରିବା, କାହାପାଇଁ ବଡଗାଡି ଚଢି, ଚକାଚକ ଘରେ ରହିବା, ହେଲେ କାହାପାଇଁ ଦିମୁଠା ଭାରତ ଯୋଗାଡ କରିବା । ଏ ନୀରିହ ଶିଶୁ ଦୁଇଟିଙ୍କ କାହାଣୀ କହୁଛି, ଜୀବନ କଷ୍ଟ ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ। ଆଉ ଏ ଜୀବନକୁ ବଞ୍ଚିବାକୁ ବାଟ ଅନେକ ହେଲେ ଭଲ ବାଟ ବାଛିବାଟା ପ୍ରକୃତ ସଫଳତା ।