କନକ ବ୍ୟୁରୋ :  ଦିନେ ଖୁସିରେ ଆରମ୍ଭ ହୋଇଥିବା ମହୁ ଚାଷ ପରିବାର ପ୍ରତିପୋଷଣର ମାଧ୍ୟମ ପାଲଟିବ ଏହା କେବେ ବି ଭାବିନଥିଲେ ହରିହର । ଭଦ୍ରକ ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁର ହରିହର ଗୋଚ୍ଛାୟତ ମହୁ ଚାଷକୁ ନିଜର ନିଶା ଓ ପେଷାରେ ପରିଣତ କରିଛନ୍ତି । ୪୦ ବର୍ଷ ତଳେ ହରିହର ଭୁବନେଶ୍ୱର ଓୟୁଏଟି ଓ ଖଦି ବୋର୍ଡରୁ ତାଲିମ ନେଇ ପ୍ରଥମେ ନିଜ ଘର ପଛ ପାଖରେ ଥିବା ବାଡିରେ ୧୦ରୁ ୧୨ଟି ବାକ୍ସ ବସାଇ ମହୁ ଚାଷ ଆରମ୍ଭ କରିଥିଲେ। ଏହି ଚାଷ ଅଧିକ ଲାଭଦାୟକ ହେବାରୁ ତାହାକୁ ବଢାଇ ଏବେ ୩୦୦ରୁ ଉର୍ଦ୍ଧ୍ବ ମହୁ ବାକ୍ସ ବସାଇ ବାର୍ଷିକ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଖାଲି ଏତିକି ନୁହଁ ଧାମନଗରର ବିଭିନ୍ନ ଗାଁ ଲୋକଙ୍କ ବାଡିରେ ବାକ୍ସ ବସାଇ ମହୁ ଆମଦାନୀ କରୁଛନ୍ତି ହରିହର। ଆମଦାନୀ ହୋଇଥିବା ମହୁକୁ ସେ ଭୁବନେଶ୍ବର, କଟକ ଓ ବାଲେଶ୍ଵର ଭଳି ଜାଗାକୁ ବିକ୍ରୟ ପାଈଁ ପଠାଇଥାନ୍ତି। ଏଥିରେ ସେ ବାର୍ଷିକ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଏହି କାମରେ ତାଙ୍କୁ ତାଙ୍କ ସ୍ତ୍ରୀ, ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମାନେ ସହଯୋଗ କରନ୍ତି ।

Advertisment

 ପତ୍ନୀ ଗୀତାଞ୍ଜଳି ସ୍ବାମୀଙ୍କ ସହିତ ମିଶି ମହୁ ବସାରୁ ମହୁ ବାହାର କରିବା, ଡବାରେ ପ୍ୟାକିଂ କରିବା ଭଳି କାମ କରିନ୍ତି । ବିନା କିଛି ସରକାରୀ ସହାୟତାରେ ସେ ଏହି କାମ କରୁଛନ୍ତି । ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ସେ ଏହି ଚାଷକୁ ଦ୍ଵିଗୁଣିତ କରିପାରେନ୍ତେ ବୋଲି କହିଛନ୍ତି ହରିହର। ଖାଲି ଏତିକି ନୁହେଁ, ହରିହର ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନକୁ ଯାଇ ନୂତନ ଚାଷୀ ସୃଷ୍ଟି କରିବା ସହ ସରକାରୀ ଓ ବେସରକାରୀ ସ୍ତରରେ ପ୍ରଶିକ୍ଷକ ଭାବେ ଚାଷୀଙ୍କୁ ତାଲିମ ଦେଇଛନ୍ତି ।

ହରିହର କୁହନ୍ତି ଏହି ଚାଷରେ କେବଳ ଲାଭ ହିଁ ଲାଭ । କ୍ଷତି ନାହିଁ। ଆଜିର ଯୁବକ ଚାକିରି ପଛରେ ନପଡ଼ି ଯଦି ଏଭଳି ଲାଭଦାୟକ ଚାଷ କରନ୍ତି ତେବେ ସେମାନେ ମଧ୍ୟ ହରିହରଙ୍କ ଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।