କନକ ବ୍ୟୁରୋ : ଦେବଗଡ଼ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣାରେ କୁନି ପୁଅର ଚାଞ୍ଚଲ୍ୟକର ବୟାନ । କେବଳ ବାପା ମାଆ ବିଷ ପିଇନଥିଲେ, ତାକୁ ବି ବିଷ ଦେଇ ମାରିବାକୁ ଚେଷ୍ଟା କରିଥିଲେ । କଥାରେ କହନ୍ତିନି- ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ନିଜ ଜନ୍ମଦାତାଙ୍କ ହାତରେ ଅକାଳରେ ପ୍ରାଣ ହରାଇବା ଆଗରୁ ନିଜକୁ ରକ୍ଷା କରିବା ପାଇଁ ୫ ବର୍ଷ ପୁଅଟି କେମିତି ଖଟାଇଥିଲା କୁନି ମୁଣ୍ଡର ଉପସ୍ଥିତ ବୁଦ୍ଧି ।

Advertisment

ଆଖି ଆଗରେ ଛଟପଟ ହୋଇ ଚାଲିଗଲେ ବାପାମାଆ । ନିଛାଟିଆ ଜଙ୍ଗଲ... କିଟିକିଟି ଅନ୍ଧାର.. ହାଡ଼ଭଙ୍ଗା ଶୀତ । ସେ ସେଇଠି ସେମିତି ବସିରହିଥିଲା ରାତିସାରା । କଅଁଳ ବୟସରେ କେତେ କଣ ଦେଖିବାକୁ ନପଡ଼ିଲା କୁନି ପୁଅକୁ । ୫ ବର୍ଷ ବୟସରେ ଅନାଥ କରିଦେଲା ଦଇବ । ହେଲେ ପାରିବାରିକ କଳହର ଏ କରୁଣ ପରିଣତି, ଶନିବାର ରାତିରେ ନେଇପାରିଥାନ୍ତା ଆହୁରି କରୁଣ ରୂପ । ବାପାମାଆଙ୍କ କଳିରେ ଅକାରଣେ ବଳି ପଡ଼ିଯାଆନ୍ତା ଏକ ଅବୋଧ ଶିଶୁ ।

ଅଧିକ ପଢ଼ନ୍ତୁ : ହଇଚଇ ସୃଷ୍ଟି କଲା ଯୁବକଙ୍କ ଭବିଷ୍ୟବାଣୀ: ସୋସିଆଲ ମିଡ଼ିଆରେ  ପୋଷ୍ଟ କରି  କହିଲେ, ୨୦୨୬ରେ ଜଳମଗ୍ନ ହେଇଯିବ ସାରା ବିଶ୍ବ

କଟକ ଶିଶୁ ଭବନର ହସ୍ପିଟାଲ ବେଡରେ ପିଲାଟି ବଖାଣିଛି ସେଇ କାଳରାତିର ଛାତିଥରା କାହାଣୀ । କହିଛି, ନିଜେ ବିଷ ପିଇ ତାକୁ ବି ବିଷ ପିଆଇବାକୁ ଚେଷ୍ଟା କରିଥିଲେ ବାପାମାଆ । ହେଲେ ସେ ତାକୁ ନପିଇ ପାଟିରୁ ଥୁ କରିଦେଇ ଦୌଡ଼ି ପଳାଇଥିଲା । ଯାହା ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ବି, ତାକୁ ବଞ୍ଚାଇବାରେ ସଫଳ ହେଲେ ଶିଶୁ ଭବନର ଡାକ୍ତର ।

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଅଞ୍ଚଳରେ ଯେଉଁଠି ବିଷ ପିଇଥିଲେ ଜୟନ୍ତାପାଲି ଗାଁର ଦୁଷ୍ମନ୍ତ ମାଝୀ ଓ ତାଙ୍କ ପତ୍ନୀ ରିଙ୍କି । ଶ୍ୱଶୁର ଘରୁ ପୁଅକୁ ଧରି ଫେରିବା ବାଟରେ ଝଗଡ଼ା ହେବାରୁ ଜଙ୍ଗଲରେ ଚରମ ନିଷ୍ପତ୍ତି ନେଇଥିଲେ ଦମ୍ପତି । ବାପାମାଆ କଣ କରିବାକୁ ଯାଉଛନ୍ତି, ବୁଝିପାରିନଥିଲେ ବି ଡରି ଯାଇଥିଲା କୁନି ପୁଅ । ବାପାମାଆଙ୍କୁ ରାତିସାରା ଜଗି ବସିଲା । ସକାଳେ ରାସ୍ତାକୁ ଆସି ଜଣେ ଟ୍ରକ୍‌ ଚାଳକଙ୍କୁ ଅଟକାଇ ସବୁ କହିଲା । ଘଟଣାସ୍ଥଳରେ ଦୁଷ୍ମନ୍ତ ଓ ପରେ ମେଡିକାଲରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିବା ବେଳେ, ସେମାନଙ୍କ କ୍ଷଣିକ ନିଷ୍ପତ୍ତି ଏବେ ପୁଅର ଭବିଷ୍ୟତକୁ ଚିରଦିନ ପାଇଁ ଅନ୍ଧାରକୁ ଠେଲି ଦେଇଛି ।

ଦୁଷ୍ମନ୍ତ ଓ ରିଙ୍କିଙ୍କ ମଧ୍ୟରେ ପୂର୍ବରୁ ସେଭଳି କଳହ ନଥିଲା ବୋଲି ଲୋକେ କହୁଥିବା ବେଳେ, ଶନିବାର କଣ ଘଟିଲା ଏବଂ ସେମାନେ ଅଚାନକ କାହିଁକି ଏଭଳି ନିଷ୍ପତ୍ତି ନେଲେ, ତାହା ରହସ୍ୟ ଘେରରେ ରହିଛି ।