କନକ ବ୍ୟୁରୋ:ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧର ମାମଲା । ସାଇବର ଅପରାଧୀ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଟେକ୍ନିକ ଆପଣାଉଛନ୍ତି । ସେମାନେ ଖାସ କରି ବୃଦ୍ଧ ଓ ଛୋଟ ପିଲାଙ୍କୁ ନିଜ ଟାର୍ଗେଟ କରୁଛନ୍ତି । ଯଦି ଆପଣ ଛୋଟ ପିଲାଙ୍କୁ ମୋବାଇଲରେ ଗେମ ଖେଳିବାକୁ ଦେଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣଙ୍କର ଗୋଟିଏ ଭୁଲ ଆପଣଙ୍କ ଆକାଉଣ୍ଟରେ ଟଙ୍କାଟିଏ ବି ରଖିବନି । 

Advertisment

ତେବେ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ୧୪ ବର୍ଷ ନାବାଳକ ଠକେଇର ଶିକାର ହୋଇଛି । ମୋବାଇଲରେ ଗେମ ଖେଳିବା ଭିତରେ ପିଲାଟିର ଗୋଟିଏ ଭୁଲ ମା’ଙ୍କ ଆକାଉଣ୍ଟ ପୂରା ଖାଲି କରିଦେଇଛି । ମୋବାଇଲ ଗେମ ଆପରେ ବ୍ୟାଙ୍କ ଡିଟେଲ୍ସ ଦେବା ଫଳରେ ବ୍ୟାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଉଡିଯାଇଛି । ଏହି ଘଟଣାଟି ଘଟିଛି ଲକ୍ଷ୍ନୌର ଭୌମତି ନଗରର ବିଭୂତିଖଣ୍ଡ ଅଞ୍ଚଳରେ । ପିଲାଟିର ମା ସାଇବର ସେଲରେ ଅଭିଯୋଗ ଦାୟର କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଅନଲାଇନ ଗେମ ଖେଳିବା ବା ଅଫର ନାଁରେ ସାଇବର ଠକେଇର ଏହା ନୂଆ ଘଟଣା ନୁହେଁ । ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଜାନୁଆରୀରେ ମହାରାଷ୍ଟ୍ରେ ଥାଣେ ଅଞ୍ଚଳର ଜଣେ ଯୁବକଙ୍କଠାରୁ ସାଇବର ଠକ ୫୪.୯ ଲକ୍ଷ ଟଙ୍କା ଠକି ନେଇଥିଲେ । ଠକମାନେ ତାଙ୍କୁ ଅନଲାଇନ ଚାକିରିର ଅଫର ଦେଇଥିଲେ । ତେବେ ସାଇବର ଠକମାନେ ସବୁବେଳେ ଲୋକଙ୍କ ଦୁର୍ବଳତା ଦେଖି ଟାର୍ଗେଟ କରୁଛନ୍ତି । ଯୁବକଙ୍କୁ ଚାକିରିର ପ୍ରଲୋଭନ ହେଉ କି ବୃଦ୍ଧଙ୍କୁ ଆକର୍ଷଣୀୟ ଅଫର କି ଛୋଟ ପିଲାଙ୍କୁ ଗେମର ମାୟା ଜାଲ, ଏମିତି ଅନେକ ଫାଶରେ ଫସାଇ ଲୁଟି ନେଉଛନ୍ତି ସାଇବର ଅପରାଧୀ । 

ତେଣୁ ଛୋଟ ପିଲାଙ୍କୁ ଯଥାଶୀଘ୍ର ମୋବାଇଲରୁ ଦୂରେଇ ରଖନ୍ତୁ । ଆଉ ସେମାନଙ୍କୁ ସାଇବର ଫ୍ରଡ ବାବଦରେ ସଚେତନ କରନ୍ତୁ । ଅନଲାଇନରେ ଏମିତି ଆପ ସବୁ ରହିଛି ଯାହା ସହଜରେ ଆପଣଙ୍କ ଆକାଉଣ୍ଟକୁ ଶୂନ କରିଦେବ । ତେଣୁ ଆପଣଙ୍କ ଗୋଟିଏ ଭୁଲ ଯୋଗୁଁ ଆପଣ ସାଇବର ଫ୍ରଡଙ୍କ ମାୟାଜାଲରେ ଛନ୍ଦି ହୋଇଯିବେ । ତେଣୁ ଛୋଟ ପିଲାଙ୍କୁ କେବେ ବି ମୋବାଇଲରେ ଗେମ ଖେଳିବାକୁ ଦିଅନ୍ତୁ ନାହିଁ  ନହେଲେ ଆପଣ ବି ସାଇବର ଫ୍ରଡର ଶିକାର ହୋଇପାରନ୍ତି ।