କନକ ବ୍ୟୁରୋ: ସାଙ୍ଗମାନଙ୍କ ସହ ଖେଳୁଥିଲା କୁନି ପୁଅ । ହଠାତ୍ ଆସିଲେ କୁକୁର ପଲ । କୁକୁରଙ୍କ ଆକ୍ରମଣରେ ଗଲା ଆୟୁଷର ଜୀବନ । ମଧ୍ୟପ୍ରଦେଶ ମନ୍ଦସୌର ଜିଲ୍ଲା ସୁବାସରା ରୁଣିଜା ରୋଡ୍ ନିକଟରେ ଘଟିଛି ଏଭଳି ଘଟଣା । 

Advertisment

ଏଠାରେ ପାଖାପାଖି ୪ରୁ ୫ଟି କୁକୁର ୩ ବର୍ଷର କୁନି ପୁଅକୁ କାମୁଡ଼ି ମାରିଦେଇଛନ୍ତି । ପୁଅର ଏଭଳି ବିଭତ୍ସ ମୃତ୍ୟୁରେ ପରିବାର ଲୋକେ ଘୋର ମାନସିକ ଅବସାଦ ଦେଇ ଗତି କରୁଛନ୍ତି । ସୂଚନା ମୁତାବକ, ସକାଳ ପାଖାପାଖି ୧୦ଟା ସମୟ । ଆୟୁଷ ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହ ଗେଟ୍ ବାହାରେ ଖେଳୁଥିଲା । କିଛି ସମୟ ପରେ ରାସ୍ତା ଆରପଟୁ ୪ରୁ ୫ ବୁଲା କୁକୁର ଆସିଥିଲେ । ଭୟରେ ଦୁଇ ସାଙ୍ଗ ଦୌଡ଼ି ପଳାଇଥିବାବେଳେ ଆୟୁଷ କିନ୍ତୁ ଯାଇପାରିନଥିଲା । କୁକୁରମାନେ ତାକୁ ଭିଣି ପକାଇଥିଲେ । ପାଟି ଶୁଣି ଘର ଲୋକେ ଆସିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଥିଲା ପୁଅ । ତୁରନ୍ତ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ଆୟୁଷର ମୃତ୍ୟୁ ହୋଇସାରିଥିଲା । 

ଏହି ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି ଏଭଳି କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଏଠାରେ ଲୋକେ ଭୟରେ ଅଛନ୍ତି । ଗାଈଗୋରଙ୍କୁ ବି ଆକ୍ରମଣ କରୁଛନ୍ତି । ଏନେଇ  ପ୍ରଶାସନକୁ ଜଣାଇଲେ ବି କେହି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆପଣ ଇନଷ୍ଟାରେ ମଧ୍ୟ ଏଭଳି ଏକ ଭାଇରାଲ ଭିଡିଓ ଦେଖୁଥିବେ, ଯେଉଁଥିରେ ମାତ୍ର ଦେଢ଼ ଶହ ମିଟର ରାସ୍ତାରେ କୁକୁରଙ୍କଠାରୁ  ସୁରକ୍ଷା ପାଇଁ ରାପିଡ଼ୋ ବୁକ୍ କରିଛନ୍ତି ।