କନକ ବ୍ୟୁରୋ: ଦିନକୁଦିନ ବଢିଚାଲିଛି ଶିଶୁ ଶ୍ରମିକ ।  ହୋଟେଲ ଠାରୁ ଗ୍ୟାରେଜ ଯାଏଁ ସବୁଠି ଖଟୁଛନ୍ତି ଶିଶୁ। ଏହାକୁ  ରୋକିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିଲେ ବି ବିଫଳ ହେଉଛନ୍ତି । ଅଣସଙ୍ଗଠିତ ସଂସ୍ଥାରେ ଶିଶୁ ଶ୍ରମିକ ବଢୁଥିବାବେଳେ ଏହାକୁ ରୋକିବା ପାଇଁ ସଡକ ପରିବହନ ଓ ରାଜପଥ ବିଭାଗକୁ ଚିଠି କରିଛନ୍ତି ଏନସିପିସିଆର ।

Advertisment

ରାସ୍ତା କଡରେ ରହିଛି ଏମିତି ଶହ ଶହ ଗ୍ୟାରେଜ ।  ଅଧିକାଂଶ ଗ୍ୟାରେଜରେ ଖଟୁଛନ୍ତି କୁନି କୁନି ପିଲାମାନେ । କମ ଦରମା ନେଉଛନ୍ତି, ବର୍ଷ ବର୍ଷ ଧରି ଖଟୁଛନ୍ତି । ନା ମିଳୁଛି ଉଚିତ ପାଉଣା, ନା ଅଛି ସାମାଜିକ ସୁରକ୍ଷା । ଗ୍ୟାରେଜ ମାଲିକଙ୍କ ମାଡ ଗାଳିର ବି ଶିକାର ହେଉଛନ୍ତି । ଏଭଳି ଅଣସଙ୍ଗଠିତ କାର୍ୟ୍ୟସ୍ଥଳରେ ବଢିଚାଲିଛି ଶିଶୁ ଶ୍ରମିକ । ଏସବୁ ରୋକିବା ପାଇଁ ସୁପାରିଶ କରିଛି ଏନସିପିସିଆର ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏନେଇ ସଡକ ପରିବହନ ଓ ରାଜପଥ ବିଭାଗକୁ ଚିଠି କରିଛନ୍ତି ଏନସିପିସିଆର ଅଧ୍ୟକ୍ଷ । ଏହି ଦୋକାନଗୁଡିକୁ ନିୟନ୍ତ୍ରଣ କରିବା ଏବଂ ଏଭଳି ସଂସ୍ଥାରୁ ଶିଶୁ ଶ୍ରମିକମାନଙ୍କୁ ଦୂର କରିବା ପାଇଁ ରାଜ୍ୟଗୁଡ଼ିକ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ସୁପାରିଶ କରିଛନ୍ତି ।  

ଶିଶୁ ଶ୍ରମିକ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ସତ କିନ୍ତୁ ସେସବୁ କାଗଜ କଲମରେ ସୀମିତ ରହିଯାଉଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ହେବ ରାଜ୍ୟରେ ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ ଆଖି ଦୃଶିଆ କାମ ହୋଇନଥିବା ଶିଶୁ ସୁରକ୍ଷା କର୍ମୀ କହିଛନ୍ତି । ଶିଶୁଙ୍କୁ ଉଦ୍ଧାର କରିବା ପରେ ତାଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ପିଲାଙ୍କ ନାଁରେ ଆକାଉଣ୍ଟ ଖୋଲି ମାସକୁ ୨୨ ଶହ ଟଙ୍କା ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ସରକାରୀ କଳର ବିଫଳତା ଯୋଗୁଁ ଅନେକ ଶିଶୁ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହୋଇଛି ।

ଶିଶୁ ଶ୍ରମିକଙ୍କୁ ରୋକିବା ପାଇଁ ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ସମସ୍ତ ମ୍ୟୁନସିପାଲଟିକୁ ଚିଠି କରିଥିଲା ।  ସହରର କୌଣସି ଦୋକାନୀ ନିଜ ଦୋକାନରେ ଶିଶୁ ଶ୍ରମିକ ନିୟୋଜିତ କରିପାରିବେନି ବୋଲି ଦୋକାନୀମାନେ ଅଣ୍ଟରଟେକିଂ ଲେଖିବା ବାଧ୍ୟତାମୂଳକ ଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଛି ।  ତେବେ ପ୍ରଶ୍ନ ଉଠୁଛି ଏନସିପିସିଆରର ଏହି ଚିଠିକୁ ଦୋକାନୀ ମାନେ ମାନିବେ ତ?