କନକ ବ୍ୟୁରୋ: ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡା ଗାଁରେ ଶିଶୁକୁ ଚେଙ୍କ ଦେବା ଘଟଣାରେ ଜେଜେମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦାହାଣ୍ଡି ପୋଲିସ । ୧୦ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆଯାଇଥିଲା । ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ ଶିଶୁର ବାପା ସରୋଜ ନାୟକ, ମା ପୂର୍ଣମୀ ନାୟକ ଏବଂ ଜେଜେମା କୁନ୍ତଳା ମଶ୍ରାଙ୍କ ନାଁରେ ଏକ ମାମଲା ରୁଜୁ କରି ନିଜେ ଆଇଆଇସି ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ । 

Advertisment

ତେବେ ଶିଶୁର ଜେଜେମା କୁନ୍ତଳା ମଶ୍ରାଙ୍କୁ ଗିରଫ କରି ଝରିଗାଁ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପଠାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇଦିଆଯାଇଛି । ଶିଶୁ ଜନ୍ମ ହେବାର ଦଶ ଦିନ ପରେ ବହୁତ କାନ୍ଦୁ ଥିବାରୁ ଶିଶୁକୁ ଚେଙ୍କ ଦେଲେ ସୁସ୍ଥ ହେବ ବୋଲି ଲୋକଙ୍କ ପାଖରୁ ଶୁଣି ଶିଶୁର ବାପା, ମା ଓ ଜେଜେମା ଶିଶୁର ମୁଣ୍ଡ ଓ ପେଟରେ ୬୦ରୁ ଅଧିକ  ଚେଙ୍କ ଦେଇଥିଲେ । ଶିଶୁ ଗୁରୁତର ହେବାରୁ ଉମରକୋଟ ଡିଏନକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା ।