କନକ ବ୍ୟୁରୋ : ମନ୍ତ୍ରୀଙ୍କ ପରେ ଜିଲ୍ଲା ବୁଲିବେ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ । ଏ ସମ୍ପର୍କରେ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି କରାଯାଇଛି । ୩୦ ଜିଲ୍ଲା ପାଇଁ ଅଧିକାରୀଙ୍କ ସୂଚୀ ଜାରି ହୋଇଛି । ଏହି ଆବଣ୍ଟିତ ଜିଲ୍ଲା ପ୍ରତି ତିନିମାସରେ ପରବର୍ତ୍ତନ କରାଯିବ । ସଂପୃକ୍ତ ଅଧିକାରୀ ସେମାନଙ୍କ ଦାୟିତ୍ବରେ ଥିବା ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ ଦିନର ଯୋଜନା ପ୍ରସ୍ତୁତ କରିବେ ।

ଅଧିକାରୀମାନ ନିଜ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନକୁ ପରିଦର୍ଶନ ପାଇଁ ଚିହ୍ନଟ କରିବେ । କୌଣସି ଗୋଟିଏ ପଂଚାୟତ ପରିଦର୍ଶନ କରିବେ ଓ ସରକାରଙ୍କ ବିଭିନ୍ନ ଯୋଜନାର ତଦାରଖ କରିବେ । ପରିଦର୍ଶନ ସମୟର ବିଭିନ୍ନ ବର୍ଗର ଲୋକ, ରୋଗୀ, ଅନଙ୍ଗୱାଡି ହିତାଧିକାରୀ, ସ୍କୁଲ ଓ ଛାତ୍ରୀ ନିବାସର ବାଳିକା ସହ କଥାବାର୍ତ୍ତା କରି  ମତାମତ ନେବେ ।

୮ଟି ଡିଏମଏଫ ଜିଲ୍ଲାରେ ଖଣିଜ ପାଣ୍ଠିର ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବେ । କ୍ଷେତ୍ର ପରିଦର୍ଶନ ପରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀ ସହ ଆଲୋଚନା କରି ବିଭିନ୍ନ ଯୋଜନାର ସମୀକ୍ଷା କରିପାରିବେ । ଏହାଛଡ଼ା କେତେକ ପ୍ରମୁଖ ନୂତନ ପ୍ରକଳ୍ପଗୁଡିକର ସମୀକ୍ଷା କରିବେ ।

ଅଧିକାରୀମାନେ ପ୍ରତିମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଭାବେ ପରିଦର୍ଶନ କରିବାକୁ ଯିବେ । ଆକାଂକ୍ଷୀ ଜିଲ୍ଲାଗୁଡିକ ପରଦର୍ଶନ ପାଇଁ ଆବଣ୍ଟିତ ଅଧିକାରୀ ସ୍ୱତନ୍ତ୍ର ଭାବରେ ଆକାଂକ୍ଷୀ ଜିଲ୍ଲାର ପ୍ରଗତି ସମୀକ୍ଷା କରିବେ । ଜିଲ୍ଲା ପରିଦର୍ଶନ କାର୍ଯ୍ୟକ୍ରମରେ ସମୀକ୍ଷା ହେବାକୁ ଥିବା ଯୋଜନାଗୁଡିକର ତାଲିକା ବି ଦିଆଯାଇଛି ।