କନକ ବ୍ୟୁରୋ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ହେଲା ମିଶ୍ରଣ ପର୍ବ । ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଜୟ ଢୋଲକିଆ । ଏହି ମିଶ୍ରଣ ପର୍ବରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି , ନୂଆପଡା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରମୁଖ ଭୂମିକା ଗ୍ରହଣ କରିବେ ଏବଂ ନୂଆପଡାର ବିକାଶ କରିବେ ବୋଲି ଆଶା ଓ ବିଶ୍ୱାସ । ପିତାଙ୍କ ଋଣ ପୂତ୍ର ସୁଝିଥାଏ , ପିତାଙ୍କ ଅଧୁରା ସ୍ବପ୍ନ ପୁଅ ପୂରା କରିବେ । ଜୟ ଢୋଲକିଆଙ୍କ ସମେତ ତାଙ୍କର ପରିବାର ଏବଂ ସମର୍ଥକଙ୍କୁ ସ୍ୱାଗତ । ଆଜି ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ । ବିଜେପିର ନୀତି, ଆଦର୍ଶ, ବିଚାର, ଏବଂ ପ୍ରଗତିର ବାସ୍ତବ ଚିତ୍ରକୁ ଦେଖି ଅନେକ ଲୋକ ଦଳରେ ମିଶିବାର ଦୃଷ୍ଟାନ୍ତ ଆଗରୁ ମଧ୍ୟ ରହିଛି । ସେହିଭଳି ଜଣେ ନେତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ତାଙ୍କ ପିତାଙ୍କ ଦେହାନ୍ତ ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି , ଜୟ ଢୋଲକିଆ ନିଶ୍ଚିତ ବିଚାର କରିଥିବେ କି ବିଗତ ୧୬ ମାସ ଭିତରେ ବିଜେପି ସରକାର ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିଛି । ଢୋଲକିଆଙ୍କ ବିଜେପିରେ ଯୋଗଦାନ ଓଡ଼ିଶା ସମେତ ବିଶେଷ ଭାବରେ ନୂଆପଡା ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମ ଦଳର ସମସ୍ତ ସଦସ୍ୟଙ୍କ ସହମତିରେ ଜୟ ଢୋଲକିଆଙ୍କୁ ଦଳ କୋଳେଇ ନେଇଛି । ନୂଆପଡ଼ାରେ ସ୍ବର୍ଗତ ରାଜୁ ବାବୁଙ୍କ ଅନେକ ସ୍ବପ୍ନ ଅଧୁରା ରହିଯାଇଛି । ତାଙ୍କର ଅନେକ ରାଜନୈତିକ ପ୍ରତିଦ୍ବନ୍ଦୀ ଥିଲେ ମାତ୍ର କେହି ଶତ୍ରୁ ନଥିଲେ । 

ଖାଲି ସେତିକି ନୁହେଁ , ପୂର୍ବ ସରକାରକୁ ପୁଣି ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି , ସ୍ବର୍ଗତ ରାଜୁବାବୁ ଅନେକ ସମସ୍ୟାର ସମାଧାନ ପାଇଁ ଅସହାୟ ମନେ କରୁଥିଲେ । କାରଣ ସେ ସମୟରେ ସମସ୍ତ ମନ୍ତ୍ରୀ ନିଜକୁ ଅସହାୟ ମନେ କରୁଥିଲେ । ନିଜ ଦଳର ସରକାର ଥାଇ ନିଜେ ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ଅନେକ ସମୟରେ ସ୍ବର୍ଗତ ଢୋଲକିଆ ନିଜ ଅଞ୍ଚଳରେ ଲୋକଙ୍କର ସମସ୍ୟା ସମାଧାନ କହିବାକୁ ଯାଇ ଅସହାୟ ହୋଇଥିଲେ । ନୂଆପଡ଼ାର ବିକାଶର ସ୍ବପ୍ନ ପୁରା କରିବ ବିଜେପି । କୌଣସି ପ୍ରଲୋଭନ କିମ୍ବା ଜୋର ଜବରଦସ୍ତି କରି ଜୟ ଢୋଲକିଆଙ୍କୁ ଦଳରେ ମିଶା ଯାଇନାହିଁ । ସେ ନିଜେ ନିଜ ସ୍ୱ-ଇଛାରେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ର ସ୍ୱୀକୃତି ପରେ ଜଣେ ଯୁବ ନେତୃତ୍ୱ ଆଜି ଦଳରେ ସାମିଲ ହୋଇଛନ୍ତି ।