କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯାଉଛି । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିପାଇଁ ସବୁ ଜିଲ୍ଲାରେ ଏମ.ଏସ.ଏମ.ଇ ପାର୍କ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଖୁବ ସଫଳ ହେଉଛି
ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି । ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି । ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଗଲେ, ସେମାନେ ଆଗକୁ ବଢିପାରିବେ ଏବଂ ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ । ତେଣୁ ସେମାନଙ୍କୁ ଏମ.ଏସ.ଏମ.ଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡିଶାର ଏମଏସଏମଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମ.ଏସ.ଏମ.ଇ ମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଥିଲା । ଏହା ଫଳରେ ଏମ.ଏସ.ଏମ.ଇ କ୍ଷେତ୍ରର ଏହି ଉଦ୍ୟୋଗ ଗୁଡିକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରିବ ।
ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର
ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ କରାଯାଉଛି
ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଏମ.ଏସ.ଏମ.ଇ କ୍ଷେତ୍ରରେ ଖୁବ ସଫଳ ହେଉଛି ଲକ୍ଷପତି ଦିଦି କାର୍ଯ୍ୟକ୍ରମ
ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି
ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ରହିଛନ୍ତି