ନକବ୍ୟୁରୋ  : ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଅଭିଜ୍ଞ ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସିଏମଓ ପକ୍ଷରୁ କୁହାଯାଇଛି ଯେ , ଲୋକଙ୍କ ସରକାରରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦିଆଯାଇଛି । ବିନା ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରି ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସୁବିଧାକୁ ଆହୁରି ଉନ୍ନତ କରାଯାଉଛି ।

Advertisment

ମେଡ଼ିକାଲ କଲେଜମାନଙ୍କରୁ ବିଶେଷଜ୍ଞମାନଙ୍କୁ ନିୟୋଜିତ କରି ଉଚ୍ଚମାନର ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଅଧୀନରେ ନବରଙ୍ଗପୁରଠାରେ ଆଜିଠୁ ୧୦ ତାରିଖ ପର୍ଯ୍ୟନ୍ତରେ ୪ଦିନିଆ ଚିକିତ୍ସା ଶିବିର ଆୟୋଜନ ହେବ ।  ଏଥିରେ ଏସସିବି ମେଡିକାଲ୍ କଲେଜର ବିଶେଷଜ୍ଞମାନେ ଅସ୍ତ୍ରୋପଚାର, କାର୍ଡିଓଲୋଜି, ନ୍ୟୁରୋଲୋଜି ଇତ୍ୟାଦି ବିଭାଗରେ ଉନ୍ନତ ନିଦାନ ସହିତ ସୁପର ସ୍ପେଶାଲିଟି ସେବା ପ୍ରଦାନ କରିବେ ।

ପ୍ରାୟ ୯୩୮ ଜଣ ପ୍ରି-ସ୍କ୍ରିନିଂ ରୋଗୀ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତାରେ ଶିବିର ସ୍ଥାନକୁ ଆସି ମାଗଣା ଚିକିତ୍ସା ଓ ଔଷଧ ପାଇବେ । ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି । ଏହି କ୍ରମରେ ପରବର୍ତ୍ତୀ ସମୟରେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏଭଳି ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଛନ୍ତି ଲୋକଙ୍କ ସରକାର ।