କନକବ୍ୟୁରୋ :  ବିମାନରେ ଆସିଲେ ଡାକ୍ତର। ହେଲେ ଆସି ପାରିଲେନି ରୋଗୀ। ମାଲକାନଗିରି ଜିଲ୍ଲାରେ ଫିକା ପଡିଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ।  ଲଗାଣ ବର୍ଷା ସାଙ୍ଗକୁ ପାଣିପାଗ ବିଭାଗର ରେଡ ଆଲାର୍ଟ ଯୋଗୁ ଡାକ୍ତରଖାନା ଆସିପାରିଲେନାହିଁ ରୋଗୀ । ଗତାକିଲ ରାତିରୁ ବର୍ଷା ଲାଗି ରହିଛି। ଘରଦ୍ୱାରରେ ପାଣି ପଶିଯାଇଛି । ଲୋକ ନାନା ଅସୁବିଧା ଭୋଗୁଛନ୍ତି ।  ପୋଟେରୁ ପୋଲ ଉପରେ ବହୁଛି ପାଣି। କାଙ୍ଗୋରୁକୋଣ୍ଡା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି ।

Advertisment

ସେହିପରି କନ୍ୟାଶ୍ରମ ପୋଲ ମଧ୍ୟ ବୁଡିଯାଇଛି। ଫଳରେ ୩୨୬ ନମ୍ବର ଜାତୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଆଜି ବି ମାଲକାନଗିରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଅଫିସ ଓ ସ୍କୁଲ ଛୁଟି ରହିଛି। ଆଉ ଏହି ଭିତରେ ପ୍ରଶାସନର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ପାଇଁ ମନ ବଳାଇ ନାହାନ୍ତି ରୋଗୀ ।

ବର୍ଷାରେ ଘରୁ ବାହାରିବାକୁ ସୁରକ୍ଷିତ ମଣିନାହାନ୍ତି ।  ବିଶେଷ କରି ପୋଟେରୁ, କାଙ୍ଗୋରୁକୋଣ୍ଡା, କନ୍ୟାଶ୍ରମ ଆଦି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ  କାଲିମେଳା-ପଡିଆ ଅଂଚଳର ରୋଗୀମାନେ ପ୍ରଥମ ଦିନରେ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇପାରିନାହାନ୍ତି ।  ବିଶେଷ କରି ଅତ୍ସିଶଲ୍ୟ, ହୃଦରୋଗ,କୀଡନି, ସ୍ନାୟୁ, ଗ୍ୟାଷ୍ଟ୍ରୋ, ଆନେସ୍ଥେସିଆ, ଏଣ୍ଡ୍ରୋକ୍ରିନୋଲୋଜି ପରି ୬ଟି ବିଭାଗର ୧୨ଜଣ ବିଶେଷଜ୍ଞ ଡାକ୍ତର ବିମାନରେ ଆସିଛନ୍ତି ।

୪ ଦିନ ଧରି ମାଲକାନଗିରି ଜିଲ୍ଲାରେ ରୋଗୀ ସେବା ଯୋଗାଇବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ୮ଶହରୁ ଅଧିକ ରୋଗୀ ନିଜ ନାଁ ପଂଜିକରଣ କରିଛନ୍ତି। ପ୍ରଥମ ଦିନ ୩ଟା ସୁଧା ମାତ୍ର ୬୦ଜଣ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ତେବେ ଦ୍ୱିତୀୟ ଦିନରୁ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ ପ୍ରତିକ୍ରୀୟା ରଖିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବ୍ରଜବନ୍ଧୁ ଦାଶ।