କନକ ବ୍ୟୁରୋ : ସହରର ରାସ୍ତା ଭଳି ହେବ ଗ୍ରାମ୍ୟ ରାସ୍ତା । ବନ୍ୟା ଓ ବାତ୍ୟା ଭୟ ଥିବା ଜିଲ୍ଲାଗୁଡିକରେ ବିପର୍ଯ୍ୟୟ ମୁକାବିଲା ପାଇଁ ପକ୍କା ରାସ୍ତା ନିର୍ମାଣ ହେବ । ଏଥିପାଇଁ ୫ ବର୍ଷରେ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ରାସ୍ତାର ଓସାର ଓ ଉଚ୍ଚତା ବଢିବ, ଡ୍ରେନେଜ ବ୍ୟବସ୍ଥା ରହିବ ଓ ସୁରକ୍ଷା ପ୍ରାଚୀର ଦୁଇପଟେ ରହିବ ।
ବନ୍ୟା, ବାତ୍ୟା ପ୍ରଭାବିତ ୧୫ ଜିଲ୍ଲାରେ ଚକାଚକ ହେବ ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏଭଳି ରାସ୍ତା ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫ ବର୍ଷରେ ନିର୍ମାଣ ହେବ ୫ ଶହ କିଲୋମିଟର ଗାଁ ରାସ୍ତା । ଖର୍ଚ୍ଚ ହେବ ୧ ହଜାର କୋଟି । ୨୦୨୫-୨୬ରେ ୫୦ କୋଟି, ପର ୨ ଆର୍ଥିକବର୍ଷରେ ୨୦୦ କୋଟି ଲେଖାଏଁ ଖର୍ଚ୍ଚ ହେବ । ୨୦୨୮-୨୦୨୯ରେ ୨୫୦ କୋଟି ଓ ଶେଷବର୍ଷ ୩୦୦ କୋଟି ଖର୍ଚ୍ଚ କରାଯିବ । ପୂର୍ବରୁ ବାରମ୍ବାର ନଷ୍ଟ ହୋଇଥିବା ରାସ୍ତା ଏହି ଯୋଜନାରେ ସାମିଲ ହେବ ।
ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମରେ ରହିଛି ବାତ୍ୟା ଭୟ । ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ସମ୍ବଲପୁରରେ ବନ୍ୟା ଭୟ ଅଧିକ ରହୁଛି । ତେଣୁ ଏହି ଜିଲ୍ଲାଗୁଡିକର ତଳିଆ ରାସ୍ତାକୁ ଟାର୍ଗେଟ କରାଯାଇଛି । କାରଣ ବନ୍ୟା ଓ ବାତ୍ୟା ଯୋଗୁଁ ଏହି ଜିଲ୍ଲାରେ ରାସ୍ତା ଅଧିକ ପ୍ରଭାବିତ ହୋଇଥାଏ । ବିଶେଷକରି ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ବଜାର ଓ ଅନ୍ୟ ଜରୁରୀ ସେବାରେ ଯାତାୟାତ ଲାଗି ବ୍ୟବହୃତ ରାସ୍ତାକୁ ପ୍ରାଥମିକତା ଦିଆଯିବ । ରାସ୍ତାର ଓସାର ଓ ଉଚ୍ଚତା ବଢ଼ିବ, ଡ୍ରେନେଜ୍ ବ୍ୟବସ୍ଥା ରହିବ ଓ ସୁରକ୍ଷା ପ୍ରାଚୀର ଦୁଇପଟେ ରହିବ । ୫ ବର୍ଷରେ ରାସ୍ତା ଖରାପ ହେଲେ ସମ୍ପୃକ୍ତ ଠିକାସଂସ୍ଥା ଦାୟୀ ରହିବେ ଓ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିବେ ।
ରାସ୍ତା ପାଇଁ ବିଧାୟକମାନଙ୍କୁ ପ୍ରସ୍ତାବ ମାଗିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହାର ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଶ୍ନ ଉଠୁଛି, ବନ୍ୟା ଓ ବାତ୍ୟା ପ୍ରଭାବିତ ଜିଲ୍ଲାରେ ଭଲ ପକ୍କା ରାସ୍ତା ହେବ ନା ନିମ୍ନମାନର ରାସ୍ତା ନିର୍ମାଣ କରି ଠିକାଦାର ସଂସ୍ଥା ମାଲାମାଲ ହେବେ ?