କନକ ବ୍ୟୁରୋ : ରାଜ୍ୟରେ ଡରାଉଛି ହଇଜା ସ୍ଥିତି , ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷ ଯାତ୍ରା । ଏତେ ବଡ଼ ପର୍ବରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏପଟେ ବିଭିନ୍ନ ଜିଲ୍ଲାରେ ଏବେ ବି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ସମୀକ୍ଷା ବୈଠକ । ସେପଟେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ରେ ଆଉ ଏକ ଡାଇରିଆ ମୃତ୍ୟୁ ନେଇ ଆସିଛି ଅଭିଯୋଗ । ଅନ୍ୟପଟେ ଯାଜପୁର ରୋଡ଼ରେ ବ୍ୟାପିଥିବା ଝାଡ଼ାବାନ୍ତି ସ୍ଥିତିରେ ଧୀରେ ଧୀରେ ସୁଧାର ଆସିଲାଣି । ତଥାପି ହସ୍ପିଟାଲକୁ ଆସୁଛନ୍ତି ନୂଆ ଆକ୍ରାନ୍ତ । 

Advertisment

ଝାଡାବାନ୍ତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରାୟ ସବୁ ପ୍ରଭାବିତ ଅଞ୍ଚଳକୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।  ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସମୀକ୍ଷାରୁ ଜଣାପଡିଛି, ପରୀକ୍ଷା ପାଇଁ ଯାଇଥିବା ନମୁନାରୁ ୧୦ ପ୍ରତିଶତ କେବଳ କଲେରା ଜୀବାଣୁ ଚିହ୍ନଟ ହୋଇଛି । ୫ଟି ଜିଲ୍ଲା ନୁହେଁ, ୨୫ ଜିଲ୍ଲାକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ହସ୍ପିଟାଲ ଗୁଡ଼ିକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।