କନକ ବ୍ୟୁରୋ: ରାଜ୍ୟରେ ଏବେ ବି ଚାଲିଛି ବେଆଇନ୍‌ ଖଣିଜ କାରବାର । ଏକଥାକୁ ନେଇ ଖଣି ବିଭାଗକୁ ତାଗିଦ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓପନ୍‌କାଷ୍ଟ୍‌ରୁ ମନଇଚ୍ଛା ଉଠୁଛି ଖଣିଜ । ନିୟମ ମାନିବାକୁ କେହି ନାହିଁ । ଯିଏ ଯେମିତି ପାରିଲା ସେମିତି ଖଣି ବେପାର କଲା । ନିର୍ଦ୍ଦେଶ ନଥାଇ ଖଣି ଖୋଳା ଚାଲିଛି, କିନ୍ତୁ କେହି ଦେଖୁନାହାନ୍ତି । ଯାହାକୁ ନେଇ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଡୋକୋ ବା ବେଆଇନ୍‌ ଖଣି କାରବାର ଚାଲିଥିବା ଖୁଲମଖୁଲା କହିବାକୁ ପଛାଇ ନାହାନ୍ତି ମୋହନ । ଖଣି ବିଭାଗକୁ ଏନେଇ ତାଗିଦ କରିବା ସହ ନଜର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷ ବର୍ଷ ଧରି ଚାଲି ଆସିଥିବା ଏ ଡୋକୋକୁ ରୋକିବାକୁ କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । 
 
ଡୋକୋ’ର ଉଦାହରଣ ଦେବାବେଳେ ପୂର୍ବ ସରକାରକୁ ଛାଡ଼ି ନାହାନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ଅମଳରୁ ଏହା ଚାଲି ଆସିଥିବା କହିଛନ୍ତି । ଏହାରି ଭିତରେ ମାସକ ତଳେ ଆସିଥିବା ସିଏଜି ରିପୋର୍ଟ ଚର୍ଚ୍ଚାକୁ ଆସିଛି । ବେଆଇନ ଖଣି କାରବାର ଯୋଗୁଁ ରାଜ୍ୟ ସୁଧ ସହ ୩୯୬୬ କୋଟି ଟଙ୍କା ରାଜସ୍ବ ହରାଇଛି । ବେଆଇନ୍‌ ଖଣି କାରବାର ବିରୋଧରେ ଆକ୍ସନ ନେବାରେ ଫେଲ୍‌ ହୋଇଥିଲା ବିଜେଡି ସରକାର । ସେପଟେ ସୁନ୍ଦରଗଡ଼ ଖଣି ଦୁର୍ନୀତି ନେଇ କନକ ନ୍ୟୁଜ୍‌ରେ ଘନ ଘନ ଖବର ପରେ ବଡ଼ ବୟାନ ଦେଇଛନ୍ତି ଖଣିମନ୍ତ୍ରୀ ବିଭୂତି ଜେନା । ଅଭିଯୁକ୍ତଙ୍କ ତାଲିକା ସରିଛି । ସରକାରୀ ଅଧିକାରୀଙ୍କଠାରୁ ନେତା, ଏମିତିକି ଇନ୍ଦ୍ର ହୋଇଥିଲେ ବି ଖସି ପାରିବେନି । ୨୦୧୭ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବି ମାନିନଥିଲେ ପୂର୍ବ ସରକାର ।