କନକ ବ୍ୟୁରୋ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଷଷ୍ଠ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ଟିମ ସହ ଅଭିଯୋଗ ପ୍ରକୋଷ୍ଠକୁ ପଶୁପଶୁ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା।
- ୫୬ ଦିନ ପରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ
- ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ
ନିଜେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବ୍ୟବହାର ଦିବ୍ୟାଙ୍ଗଙ୍କ ମନରେ ସମସ୍ୟାର ସମାଧାନ ପାଇଁ ଆଶା ସଞ୍ଚାର କରିଛି। ଷଷ୍ଠ ଥର ହେଉଥିବା ଏହି ଅଭିଯୋଗ ଶୁଣାଣି ପାଇଁ ୧୦୦୦ ଜଣ ପଞ୍ଜିକରଣ କରିଥିଲେ। ଯେଉଁମାନଙ୍କ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ତୃଣମୂଳସ୍ତରରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବିଭିନ୍ନ ସ୍ଥାନରୁ ଅଭିଯୋଗକାରୀ ଆସିଥିବା ବେଳେ ଘଣ୍ଟାଘଣ୍ଟା ଧରି ପୂରା ଟିମ୍ ସହ ଅଭିଯୋଗ ଶୁଣିଥିଲେ ମୁଖ୍ୟମନ୍ତ୍ରୀ। କେବଳ ଭୁବନେଶ୍ବର ନୁହେଁ ବରଂ ଜିଲ୍ଲାସ୍ତରରେ ଜନଶୁଣାଣି କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ଦୂର କରୁଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହାସହ ପୂର୍ବ ସରକାରର ଅଭିଯୋଗ ସଂଗ୍ରହ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୁକେଶ ମହାଲିଙ୍ଗ। ସିଧାସଳଖ କହିଛନ୍ତି, ହେଲିକପ୍ଟରରେ ବୁଲି ବୁଲି ସଂଗ୍ରହ ହେଉଥିବା ଅଭିଯୋଗ କୁଆଡେ ଯାଉଥିଲା ତାହା କାହାକୁ ଜଣାନାହିଁ।
ବିଧାନସଭା ଅଧିବେଶନ ବନ୍ଦ ହେବା ପରେ ଏବେ ଖୋଲିଛି ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ୬ ମାସର ନୂଆ ସରକାରରେ ମାତ୍ର ୬ ଥର ଅଭିଯୋଗ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।