କନକ ବ୍ୟୁରୋ: ନୂଆପଡା ଉପ-ନିର୍ବାଚନକୁ ନେଇ ନୂଆ ରଣନୀତି କରୁଛି ଶାସକ ବିଜେପି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି ଦଳ । ଏଥିପାଇଁ ଦିଲ୍ଲୀରୁ କସରତ ଆରମ୍ଭ ହୋଇଥିବା ବେଳେ ବଡ ଭେଟି ଦେବାକୁ ୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆପଡା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଉଷ୍ଣ ଥିବାବେଳେ, ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି । ସୌଜନ୍ୟମୂଳକ ସାକ୍ଷାତରେ ସାଙ୍ଗଠନିକ ବ୍ୟବସ୍ଥା ଓ ରାଜନୈତିକ ସ୍ଥିତିକୁ ନେଇ ରୁଦ୍ଧଦ୍ବାର ଆଲୋଚନା ହୋଇଛି । ସାଙ୍ଗଠନିକ ଆଲୋଚନା ଭିତରେ ନୂଆପଡା ଉପ-ନିର୍ବାଚନକୁ ନେଇ ମାନସମନ୍ଥନ ହୋଇଥିବା ଚର୍ଚ୍ଚା ହେଉଛି । ପ୍ରାର୍ଥୀ କିଏ ହେବ ? ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା ନା ଯଦୁମଣି ପାଣିଗ୍ରାହୀ ? କାହାକୁ ଭରସିବ ଦଳ ? କାହାକୁ ପ୍ରାର୍ଥୀ କଲେ ଦଳର ବିଜୟ ସମ୍ଭାବନା ଅଧିକ? ଏନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ତୁହାକୁ ତୁହା ଆଲୋଚନା କରୁଛନ୍ତି ରାଜ୍ୟ ନେତୃତ୍ବ । 
 
ଗତ ୨୧ ତାରିଖରେ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇ ନୂଆପଡାର ଦାୟିତ୍ବ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ, ଆସନ୍ତା ସୋମବାର ପୁଣିଥରେ ନୂଆପଡା ଗସ୍ତ କରିବେ ମୋହନ ମାଝୀ । ଏଥର ଜନସଭାକୁ ସମ୍ବୋଧିତ କରି ନୂଆପଡାବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଭେଟି ଦେବେ। ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଖୁବଶୀଘ୍ର ନୂଆପଡା ଉପ-ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ନୂଆପଡା ଉପ-ନିର୍ବାଚନ ସରକାର ଗଢିବନି କି ଭାଙ୍ଗିବନି । ପୂର୍ବରୁ ବିଜେଡି ଦଖଲରେ ଥିଲା ଏହି ଆସନ। ହେଲେ ସରକାରରେ ଥିବାରୁ ବିଜେପି ପାଇଁ ନୂଆପଡା ଆସନରେ ବିଜୟୀ ହେବା ବେଶ ଗୁରୁତ୍ବପୂର୍ଣ୍ଣ । 

Advertisment