କନକ ବ୍ୟୁରୋ: ଦୀପ କିଣିଲେ ମୁଖ୍ୟମନ୍ତ୍ରୀ। ଆଜି ଭୁବନେଶ୍ବର ୧ ନମ୍ବର ହାଟ ଯାଇ ଦୀପ, ତେଲ, ସଳିତା, ନଡ଼ିଆ, ଆଖୁ, କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପତ୍ନୀ ପ୍ରିୟଙ୍କାଙ୍କ ସହ ୧ ନମ୍ବର ହାଟ ଯାଇ କିଣାକିଣି କରିଛନ୍ତି। ଯାହାର ଯେତିକି ଟଙ୍କା ହେଲା, ବ୍ୟବସାୟୀଙ୍କ ହାତକୁ ସେତିକି ଟଙ୍କା ବଢାଇ ଜିନିଷ କିଣିଛନ୍ତି। ଦୋକାନୀଙ୍କ ଭଲ ମନ୍ଦ ବୁଝିବା ସହିତ ଦୋକାନ ଆଗ ରାସ୍ତା ଯେମିତି ଭିଡ଼ ନହୁଏ, ତା ଉପରେ ଧ୍ୟାନ ଦେଇ ବିକ୍ରି କରିବାକୁ ଦୋକାନୀଙ୍କୁ କହିଥିଲେ। ନିଜ ଗାଁ କେନ୍ଦୁଝର ରାଇକଳାରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଆଦିବାସୀ ପରମ୍ପରା ଅନୁଯାୟୀ ସୋହରାଇ ପୂଜାରେ ସାମିଲ ହେବେ। ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୋହନ ମାଝୀ। ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ପାଳନ କରିବେ ଏହି ଆଲୋକର ପର୍ବ। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବେ। ପ୍ରତିବର୍ଷ ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ। ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ ସାମିଲ ହେବେ।