କନକ ବ୍ୟୁରୋ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀପାଟଣାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଳାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି। 

Advertisment
  • ପୂରଣ ହେବ ପକ୍କାଘର ଆଶା
  • ମିଳିଲା ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ 

ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳାହାଣ୍ଡି ଭବାନୀପାଟଣାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟଦେଶ ପ୍ରଦାନ କରିଛନ୍ତି।  

ଭବାନୀପାଟଣା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦୀର୍ଘ ଦିନ ହେବ ଘର ଖଣ୍ଡେ କରିବା ପାଇଁ ସ୍ବପ୍ନ ଦେଖୁଥିବା ଗରିବ। 

ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପାଇଥିବା ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ  ପୀଡ଼ିତ ଲୋକ ଲାଭ ପାଇବେ। ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୨ହଜାର ୬୦୩ କୋଟି ଟଙ୍କା ବ୍ୟୟ ବରାଦ ରଖିଛନ୍ତି ମୋହନ ସରକାର। ତେବେ ଏହା କପି ପେଷ୍ଟ ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ସାଂସଦ। 

ସୂଚନାଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ଅଧିନରେ ଆସନ୍ତା ୩ବର୍ଷରେ ଅତି କମରେ ୨ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।