କନକ ବ୍ୟୁରୋ : ରାଜ୍ୟର ହଜାର ହଜାର ସ୍କୁଲ ପିଲାଙ୍କୁ ପୋଷାକ ମିଳିନଥିବା ଖବର ଆମେ ବାରମ୍ବାର ଦେଖାଇ ଆସୁଛୁ। ତେବେ ଖାଲି ସ୍କୁଲ ନୁହେଁ ଶିଶୁ ବାଟିକାରେ ପାଠ ପଢ଼ୁଥିବା କୁନି କୁନି ପିଲାଙ୍କୁ ବି ଏଯାଏଁ ପୋଷାକ ମିଳିନି। ଆଉ ଶିକ୍ଷା ବର୍ଷ ଶେଷ ହେବାକୁ ଯାଉଥିବାବେଳେ ଏବେ ବିଭାଗର ନିଦ ଭାଂଗିଛି। ଯାହା ବିଭାଗୀୟ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓ ଶିକ୍ଷାଧିକାରୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । 
 
ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବାକୁ ପ୍ରାୟ ବର୍ଷକ ତଳୁ ବଜେଟରେ ବ୍ୟବସ୍ଥା କରିଥିଲେ ମୋହନ ସରକାର । କିନ୍ତୁ ବିଡ଼ମ୍ବନାର ବିଷୟ, ନୂଆ ବଜେଟ୍ ଆସିବାକୁ ଯାଉଥିଲେ ବି ଏପର୍ଯ୍ୟନ୍ତ ପୋଷାକ ବଣ୍ଟା ସରିନି। କେନ୍ଦ୍ରାପଡ଼ା ଜିଲ୍ଲାର ପୌରପାଳିକା ଓ ବ୍ଲକରେ ଜଣେ ବି ହେଲେ ପିଲାକୁ ପୋଷାକ ବଣ୍ଟା ନଯିବା ଖବରକୁ ନେଇ ହଇଚଇ ଲାଗି ରହିଥିବାବେଳେ ଏବେ ସାମନାକୁ ଆସିଛି ଗଣଶିକ୍ଷା ବିଭାଗର ଆଉ ଏକ ଖାମଖିଆଲି ମନୋଭାବ। ଶିଶୁ ବାଟିକାରେ ପାଠ ପଢ଼ୁଥିବା କୁନିକୁନି ପିଲାଙ୍କୁ ବି ଏଯାଏଁ ମିଳିନି ପୋଷାକ। ଯେଉଁଥିପାଇଁ ଘର ପିନ୍ଧା ପୋଷାକ ପିନ୍ଧି ପାଠପଢ଼ିବାକୁ ଆସୁଛନ୍ତି ବହୁ ଛାତ୍ରଛାତ୍ରୀ। ଓସେପାର ଏହି ଚିଠି ଖୋଲି ଦେଇଛି ଶିଶୁ ବାଟିକା ପୋଷାକ ବଣ୍ଟାର ଗୁମର। ଶିକ୍ଷା ବର୍ଷ ସରିବାକୁ ଯାଉଥିବାବେଳେ ଓସେପା ପକ୍ଷରୁ ଆସନ୍ତା ୧୫ତାରିଖ ସୁଦ୍ଧା ପୋଷାକ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ନିନ୍ଦା କରିଛି ଅଭିଭାବକ ମହାସଂଘ । 

Advertisment

ଅଧିକ ପଢ଼ନ୍ତୁ---ବିଶ୍ୱ କ୍ୟାନ୍ସର ଦିବସରେ ଆସିଲା ଚିନ୍ତାଜନକ ତଥ୍ୟ ; କର୍କଟର ହଟ୍‌ସ୍ପଟ ପାଲଟୁଛି ଓଡିଶା

ଆଉ ମାତ୍ର ଦିନ କେଇଟା ପରେ ମାଟ୍ରିକ ପରୀକ୍ଷା। ତାପରେ ଅନ୍ୟ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା। ହେଲେ, ଆଜି ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପୋଷାକ ବଣ୍ଟା ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁର୍ନୀତିର ଗନ୍ଧ ବାରିଛନ୍ତି ବୁଦ୍ଧିଜୀବୀ। ବିରୋଧୀ ଏହାକୁ ପ୍ରସଙ୍ଗ କରିବାକୁ ସଜବାଜ ବି ହେଲେଣି। କିନ୍ତୁ ସବୁ ପିଲାଙ୍କୁ ପୋଷାକ ମିଳିଛି କି ନାହିଁ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଖବର ନାହିଁ। ପଚାରିବାରୁ ଚିରାଚରିତ ଢଙ୍ଗରେ କହିଛନ୍ତି, ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ।